ଏଫ୍‌ଆଇଏଚ୍ ମହିଳା ହକି ପ୍ରୋ ଲିଗ୍‌: ନେଦରଲାଣ୍ଡ୍‌ସକୁ ୨-୧ରେ ହରାଇଲା ଭାରତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଶୁକ୍ରବାର ଭାରତୀୟ ମହିଳା ଦଳ ନେଦରଲାଣ୍ଡ୍‌ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତକୁ ନେଦରଲାଣ୍ଡ୍‌ସର ଅନଭିଜ୍ଞ ଖେଳାଳିମାନେ ଟକ୍କର ଦେଇଥିଲେ ହେଁ ଶେଷରେ ଭାରତ ୩ ପଏଣ୍ଟ୍ ହାସଲ କରିଛି। ଭାରତ ପକ୍ଷରୁ ଦୁଇଟିଯାକ ଗୋଲ୍ ପେନାଲ୍‌ଟି କର୍ଣ୍ଣର୍‌ରୁ ହୋଇଥିବା ବେଳେ ନେହା ଓ ସୋନିକା ଗୋଲ୍ ଦେଇଥିଲେ। ସେହିପରି ନେଦରଲାଣ୍ଡ୍‌ସ ପକ୍ଷରୁ ଏକମାତ୍ର ଗୋଲ୍‌ଟି ୟିବି ଜାନସନ୍ ଦେଇଥିଲେ, ଯାହାକି ପେନାଲ୍‌ଟି ଷ୍ଟ୍ରୋକ୍‌ରୁ ହୋଇଥିଲା।

ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ରେ ଅଧିକାଂଶ ସମୟ ବଲ୍ ନେଦରଲାଣ୍ଡ୍‌ସ ଖେଳାଳିଙ୍କ ପାଖରେ ରହିଥିଲେ ହେଁ ଭାରତ ଅଗ୍ରଣୀ ହାସଲ କରିଥିଲା । ଦଶମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ରୁ ନେହା ଏହି ଗୋଲ୍‌ଟି ସ୍କୋର୍ କରିଥିଲେ । ସେ ନବନୀତଙ୍କ ପାସ୍‌କୁ ସିଧାସଳଖ ଗୋଲ୍‌ପୋଷ୍ଟ୍ ଭିତରେ ପ୍ରବେଶ କରାଇବାରେ ସକ୍ଷମ ହୋଇଥିଲେ । ଭାରତ ଏହି ଅଗ୍ରଣୀ ସହ ଦ୍ୱିତୀୟ କ୍ୱାର୍ଟର୍‌ରେ ପ୍ରବେଶ କରିଥିଲା । ଏହି ୧୫ ମିନିଟ୍ ଖେଳରେ ଭାରତକୁ ମିଳିଥିବା ପ୍ରଥମ ପେନାଲ୍‌ଟି କର୍ଣ୍ଣର୍‌ରୁ କୌଣସି ଗୋଲ୍ ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ପେନାଲ୍‌ଟି କର୍ଣ୍ଣର୍‌ରୁ ସୋନିଆ ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ । ଏଥିସହ ଗତ ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲ୍ ପରେ ପ୍ରଥମ ଥର ପାଇଁ ନେଦରଲାଣ୍ଡ୍‌ସ କୌଣସି ମ୍ୟାଚ୍‌ରେ ୦-୨ରେ ପଛୁଆ ରହିଥିଲା । ଏହି କ୍ୱାର୍ଟର୍‌ରେ ନେଦରଲାଣ୍ଡ୍‌ସକୁ ମିଳିଥିବା ମ୍ୟାଚ୍‌ର ପଞ୍ଚମ ପେନାଲ୍‌ଟି କର୍ଣ୍ଣର୍‌କୁ ଜାନସନ୍ ଗୋଲ୍‌ରେ ପରିଣତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ଫଳବତୀ ହୋଇ ନ ଥିଲେ ।

ଫଳସ୍ୱରୂପ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ୩୯ତମ ମିନିଟ୍‌ରେ ନେଦରଲାଣ୍ଡ୍‌ସକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା । ଅବଶ୍ୟ ଏହାକୁ ଭାରତୀୟ ଗୋଲ୍‌କିପର୍ ତଥା ଅଧିନାୟିକା ସବିତା ବଞ୍ଚାଇ ଦେଇଥିଲେ । କିନ୍ତୁ ବଲ୍‌ଟି ମୋନିକାଙ୍କ ମୁଣ୍ଡରେ ବାଜିବା ଫଳରେ ରେଫରି ପେନାଲ୍‌ଟି ଷ୍ଟ୍ରୋକ୍ ଦେଇଥିଲେ । ଏଥିରୁ ଗୋଲ୍ କରି ଜାନସନ୍ ବ୍ୟବଧାନକୁ ୧-୨କୁ ହ୍ରାସ କରିଥିଲେ । ଶେଷ କ୍ୱାର୍ଟର୍‌ରେ ସ୍ଥିତିକୁ ବରାବର କରିବା ସକାଶେ ନେଦରଲାଣ୍ଡ୍‌ସ ପାଖରେ ପେନାଲ୍‌ଟି କର୍ଣ୍ଣର୍ ମାଧ୍ୟମରେ ସୁଯୋଗ ଉପୁଜିଥିଲା । କିନ୍ତୁ ଏଥର ବି ସବିତାଙ୍କ ପଲା ଭାରୀ ରହିଥିଲା ।

ଏହାପରେ ଆଉ କୌଣସି ଗୋଲ୍ ନ ହେବାରୁ ଶେଷରେ ଭାରତ ନେଦରଲାଣ୍ଡ୍‌ସ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିବା ସହ ୧୫ ପଏଣ୍ଟ୍ ସହ ଟେବଲ୍‌ରେ ଚତୁର୍ଥରୁ ଦ୍ୱିତୀୟକୁ ଉନ୍ନୀତ ହୋଇଛି । ମ୍ୟାଚ୍‌ରେ ଅତିଥି ଭାବେ ଭୁବନେଶ୍ୱର-କଟକ ପୁଲିସ୍ କମିଶନର୍ ଏସ୍‌କେ ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ଷ୍ଟାଡିୟମ୍‌ରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲ୍‌ର ପ୍ରାୟ ୩ ଶହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମ୍ୟାଚ୍ ଉପଭୋଗ କରିଥିଲେ ।