ପୁରୀ,ଏନ୍ଏନ୍ଏସ୍: ପୁରୀରେ ଦିନ ଦିପ୍ରହରେ ବିଚ୍ ରାସ୍ତାରେ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି। ସୂଚନା ଅନୁସାରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଆଜି ପୁରୀ ବାରବାଟୀ ନିକଟରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏପର୍ଯ୍ୟନ୍ତ ହତ୍ୟାର କାରଣ ପୁଲିସ ଖୋଜି ପାଇନଥିବା ବେଳେ ପ୍ରାଥମିକ ତଦନ୍ତରୁ ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
ତେବେ ପୁରୀର ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ତାଙ୍କ ବିରୋଧରେ କିଛି ପ୍ରମାଣ ନମିଳିବାରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ଏହି ଘଟଣା ସହ ତାଙ୍କର ହତ୍ୟାର ସଂଯୋଗ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
କୃଷ୍ଣଚନ୍ଦ୍ର ପ୍ରତିହାରୀ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ ଏବଂ ତାଙ୍କ ମୃତ୍ୟୁର ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପହଞ୍ଚି ଘଟଣାକୁ ଅତି ଗୁରୁତର ସହ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।