ରିଆମାଳ,ଏନ୍ଏନ୍ଏସ୍: କୁଟୁରା ଶିକାର କରିବା ଅଭିଯୋଗରେ ଆଜି ରିଆମାଳ ବନବିଭାଗ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ପାଖରୁ କୁଟୁରା ମାଂସ ଓ ବ୍ୟବହୃତ ହତିଆର ଜବତ କରାଯାଇଥିଲା। ପ୍ରକାଶ ଥାଉକି ଯେ ମଙ୍ଗଳବାର ଦିନ ରିଆମାଳ ବନାଞ୍ଚଳ ଅନ୍ତର୍ଗତ କଂସର ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର ହୋଇଥଲା।
କୌଣସି ସୂତ୍ରରୁ ସୂଚନା ପାଇ ରେଞ୍ଜର ନିରଞ୍ଜନ ଧରୁଆଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଦୟାସାଗର ପ୍ରଧାନ, ଫରେଷ୍ଟଗାର୍ଡ ବାହାନ ବେହେରା, ସିମଲଇ ଫରେଷ୍ଟଗାର୍ଡ ଯଶୋବନ୍ତ ଦାସ ସଦଳବଳେ ଦଶଘରିଆ ଗ୍ରାମର ଚଢଉ କରିଥିଲେ। ଗ୍ରାମର ପୁପୁ ପ୍ରଧାନ (୪୨)ଙ୍କ ଘରେ ସନ୍ଧ୍ୟା ୬ଟାରେ କୁଟୁରା କଟାଚାଲିଥିବା ବେଳେ ବନବିଭାଗ ଚଢଉ କରିଥିଲା। ଘଟଣାସ୍ଥଳରୁ ପୁପୁ ଓ ତାର ସହଯୋଗୀ କଳ୍ପତରୁ ମହାକୁଳ (୫୯)କୁ ଗିରଫ କରାଯାଇଥିଲା।
ଘଟଣାସ୍ଥଳରୁ ୨ କେଜି ମାଂସ, ମୁଣ୍ଡ, ଚମଡା, ଟାଙ୍ଗିଆ, ପନିକି ଓ ବିଦ୍ୟୁତ ଫାଶ ଜବତ କରାଯାଇଥିଲା। ଏନେଇ ବନବିଭାଗ ତଦନ୍ତ ଜାରି ରଖିଛି। ଆଜି ସେମାନଙ୍କୁ ରିଆମାଳ ଜେ.ଏମ୍.ଏଫ୍.ସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ରିଆମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସ୍ୱପ୍ନେଶ୍ୱର ନାଏକ ପରୀକ୍ଷା କରିବା ପରେ ପୋତି ଦିଆଯାଇଥିଲ।