ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଆଜି ୩ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡିଗ୍ରୀ ଛୁଇଁଛି ତାପମାତ୍ରା। ୪୦.୫ ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଏହା ପଛକୁ ଟିଟଲାଗଡରେ ୪୦.୨ ଡ଼ିଗ୍ରୀ ଏବଂ ଅନୁଗୁଳ ରେ ୪୦.୦ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ୮ ସହରରେ ୩୯ଡ଼ିଗ୍ରୀ ଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି।
ବର୍ତ୍ତମାନ ରାଜ୍ୟରେ ତାତିର ପ୍ରଭାବ ବଢିବାରେ ଲାଗିଛି। ଆଜିଠାରୁ ୧୮ ତାରିଖ ଯାଏଁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୭ରୁ ୩୯ ଡିଗ୍ରୀ ରେକର୍ଡ ହେବାର ସମ୍ଭାବନା ରହିଛି। ସେହିଭଳି ଆଭ୍ୟନ୍ତରିଣ ଓଡ଼ିଶାର କିଛି ସ୍ଥାନରେ ୩୮ରୁ ୪୧ ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରିବ। ଏହା ପ୍ରଭାବରେ ଦିନ ତାପମାତ୍ରା ୨ ଡିଗ୍ରୀ ଯାଏଁ ବଢିବାର ସମ୍ଭାବନା ରହିଛି। ୧୮ ତାରିଖ ଯାଏଁ ଏଭଳି ସ୍ଥିତି ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି।