ସଡ଼କ ଦୁର୍ଘଟଣାରେ ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ଯୁବକକୁ ଚିକିତ୍ସା କରାଇଲେ ଏସଡିପିଓ

ଦେବଗଡ଼,ଏନ୍‌ଏନ୍‌ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ କୈଳାସ ଗ୍ରାମ ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଜଣେ ଯୁବକ ମୁର୍ମୁଷ ଅବସ୍ଥାରେ ପଡ଼ିଥିଲେ । ଏହି ସମୟରେ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଆଣି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଆଜି ମଧ୍ୟାହ୍ନରେ କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗ୍ରାମରୁ ଏକ ହତ୍ୟାକାଣ୍ଡ ଘଟଣାର ତଦନ୍ତ ସାରି ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଫେରୁଥିଲେ । ତିଲେଇବଣି ଫାଣ୍ଡି ଅନ୍ତର୍ଗତ କୈଳାସ ଗ୍ରାମ ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୁର୍ମୁଷ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଏସଡିପିଓ ଦେଖିଥିଲେ । ପରେ ଶ୍ରୀ ମହାପାତ୍ର ନିଜ ଗାଡ଼ି ଅଟକାଇ ସହକର୍ମୀଙ୍କ ସହ ରକ୍ତାକ୍ତ ଯୁବକକୁ ଉଦ୍ଧାର କରି ନିଜ ଗାଡ଼ିରେ ବୋହି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।