ମାନସିକ ବିକୃତ କାକାର ଟାଙ୍ଗିଆ ଚୋଟରେ ଝିଆରୀ ମୃତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମାନସିକ ବିକୃତ କାକା ନିଜ ୫ ବର୍ଷୀୟା ଝିଆରୀକୁ ଟାଙ୍ଗିଆରେ ହାଣି ୨ ଗଡ଼ କରି ଦେଇଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ହେଟଖମାର ଗ୍ରାମର ସୁଶାନ୍ତ ଭୈନ୍ସାଙ୍କ ୫ ବର୍ଷୀୟା ଶିଶୁ କନ୍ୟା ରୋଜାଲିନ ଭୈନ୍ସା ଘର ଅଗଣାରେ ଖାଉଥିଲେ । ଏହି ସମୟରେ ସୁଶାନ୍ତଙ୍କ ଭାଇ ନାଗାର୍ଜୁନ ଭୈନ୍ସା(୨୨) ଏକ କୁରାଢ଼ିରେ ହଠାତ୍ ରୋଜାଲିନଙ୍କ ବେକରେ ଚୋଟ ପକାଇବାରୁ ଘଟଣାସ୍ଥଳରେ ରୋଜାଲିନଙ୍କ ମୁଣ୍ଡ ଗଣ୍ଡି ଦୁଇ ଗଡ଼ ହୋଇଯାଇଥିଲା । ଏହା ଦେଖି ପରିବାର ଲୋକ ନାଗାର୍ଜୁନକୁ କାବୁ କରି କଂସର ଫାଣ୍ଡିରେ ଜିମା ଦେଇଥିଲେ । ସୂଚନା ପାଇ ରିଆମାଳ ଥାନା ପୁଲିସ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଏସପି ରାଜକିଶୋର ପାଇକରାୟ ମଧ୍ୟ ପହଞ୍ଚି ଥିବା ଜଣାପଡ଼ିଛି । ସେହିପରି ପୁଲିସ ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମାନସିକ ବିକୃତ ନାଗାର୍ଜୁନ ଗତ କିଛିଦିନ ପୂର୍ବେ ଗାଁ ଛାଡ଼ି ପଳାଇ ଯାଇଥିବାବେଳେ ପରିବାର ଲୋକେ ସମ୍ବଲପୁର ଜିଲ୍ଲା ଯୁଜୁମୁରା ଅଂଚଳରୁ ଉଦ୍ଧାର କରି ଘରକୁ ଆଣିଥିଲେ ।