ଶିକ୍ଷକ ବଦଳିକୁ ନେଇ ବିଦ୍ୟାଳୟରେ ଝୁଲିଲା ତାଲା, ଗଛ ତଳେ ଚାଲିଛି ପିଲାଙ୍କ ପାଠପଢ଼ା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସମଗ୍ର ପାଟଣାଗଡ଼ ଜିଲ୍ଲାରେ ଶିକ୍ଷକ ଅଭାବଜନିତ ସମସ୍ୟା ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ କରିଛି । ଏଭଳି ସ୍ଥିତିରେ ୨ଦିନ ତଳେ କିଛି ଶିକ୍ଷକଙ୍କୁ ଗୋଟିଏ ବିଦ୍ୟାଳୟରୁ ଅନ୍ୟ ବିଦ୍ୟାଳୟକୁ ଶିକ୍ଷାଦାନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ଏନେଇ ବ୍ଲକ ଅନ୍ତର୍ଗତ ପୁଡ଼ାପଦର ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପୁଡ଼ାପଦର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କୁ ପାଣ୍ଡେସରା ପ୍ରାଥମିକ ବିଦ୍ୟାଳୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଗ୍ରାମର ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ତଥା ଗ୍ରାମବାସୀ ସ୍କୁଲରେ ତାଲା ପକାଇଛନ୍ତି । କେବଳ ସେତିକି ନୁହେଁ ଗ୍ରାମବାସୀ ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସେମାନଙ୍କର ଚରମ ନିଷ୍ପତ୍ତି ମଧ୍ୟ ଶୁଣାଇଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ପୁଡ଼ାପଦର ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ୨୨ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷାଦାନ ପାଇଁ ଜଣେ ଲେଖାଏଁ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ରହିଛନ୍ତି । ତେବେ କାର୍ଯ୍ୟରତ ପ୍ରଧାନଶିକ୍ଷକ ତପିନ୍ଦ୍ର ପଣ୍ଡାଙ୍କୁ ଅସ୍ଥାୟୀ ଭାବରେ ପାଣ୍ଡେସରା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ସେଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟରତ ଥିବା ଜନୈକା ଶିକ୍ଷୟିତ୍ରୀଙ୍କୁ ପୁଡ଼ାପଦର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଶ୍ରୀ ପଣ୍ଡା ଜଣେ ଛାତ୍ରବତ୍ସଳ ଶିକ୍ଷକ ହେବାସହ କର୍ତ୍ତବ୍ୟନିଷ୍ଠ ହୋଇଥିବା ଦର୍ଶାଇ ପୁଡ଼ାପଦର ଗ୍ରାମବାସୀ ତାଙ୍କୁ ନ ଛାଡ଼ିବା ପାଇଁ ଜିଦ୍ ଧରି ବସିଛନ୍ତି । ଏହାବ୍ୟତୀତ ପାଣ୍ଡେସରା ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଉକ୍ତ ଶିକ୍ଷୟିତ୍ରୀଙ୍କୁ ବିରୁଦ୍ଧରେ ଅନେକ ଅଭିଯୋଗ ଥିବା ଦର୍ଶାଇ ପାଣ୍ଡେସରା ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି । କିନ୍ତୁ ପିଲାଙ୍କ ପାଠପଢ଼ା ବନ୍ଦ ନ କରି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ ମଧ୍ୟ ଗ୍ରାମବାସୀ ବିଦ୍ୟାଳୟ ବାହାରେ ଗଛ ତଳେ ପିଲାଙ୍କ ପାଠପଢ଼ା ବ୍ୟବସ୍ଥା କରିଥିଲେ । ଏହାସହ ଏହି ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଗତକାଲିଠୁ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଆଜି ଗ୍ରାମବାସୀ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଉକ୍ତ ଅସ୍ଥାୟୀ ବଦଳି ଆଦେଶ ପ୍ରତ୍ୟାହାର ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପକାଇବେ ବୋଲି ସେମାନଙ୍କର ଚରମ ନିଷ୍ପତ୍ତି ଶିକ୍ଷାଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କୁ ଶୁଣାଇ ଦେଇଛନ୍ତି । ଅନ୍ୟପଟେ ଏସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବେ ବୋଲି ଶ୍ରୀ ମାଝୀ କହିଛନ୍ତି ।