ଆଜି ରାଜ୍ୟ କ୍ୟାବିନେଟ: ଉଚ୍ଛେଦ ହୋଇପାରେ ଠିକା ନିଯୁକ୍ତି ବ୍ୟବସ୍ଥା !

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ବେଙ୍ଗାଲୁରୁରୁ ଫେରି ଅପରାହ୍ନ ସାଢ଼େ ୫ଟାରେ ବସିବାକୁ ଥିବା ଏହି ବୈଠକରେ ନବୀନ ସାମିଲ ହେବେ । ପ୍ରାୟ ୧୦ରୁ ଅଧିକ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଥିବା ବେଳେ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହୋଇପାରେ ।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ । ବୈଠକରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରାୟ ।୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ମାରିପାରେ । ରାଜ୍ୟରେ ଚାଲିଥିବା ସରକାରୀ ନିଯୁକ୍ତି କ୍ଷେତ୍ରରେ ଠିକା ବ୍ୟବସ୍ଥା ଉଚ୍ଛେଦ ହେବାର ସମ୍ଭାବନା ରହିଛି । ଏହାସହ କ୍ୟାବିନେଟରେ ପାନୀୟଜଳ, ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଆଇନ, ସାଧାରଣ ପ୍ରଶାସନ, ଯୋଗାଣ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ।

ଗତ ୨୨ ତାରିଖ ମଧ୍ୟ ରାଜ୍ୟ କ୍ୟାବିନେଟର ବୈଠକ ବସିଥିଲା । ଉକ୍ତ ବୈଠକରେ ୧୬ ବିଭାଗର ୩୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ମଞ୍ଜୁର ପାଇଥିବା ତାଲିକାରେ ଜଳ ସମ୍ପଦ, ଆଇନ, ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଏବଂ ଯୁବ ସେବା, ପର୍ଯ୍ୟଟନ, ଶିଳ୍ପ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ଅବକାରୀ, ଗୃହ, ପୂର୍ତ୍ତ ଓ ଖଣି ବିଭାଗର ପ୍ରସ୍ତାବ ଥିଲା ।

ଜଳସମ୍ପଦ ବିଭାଗର ୬ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଥିଲା । ବୈତରଣୀ ନଦୀ ଉପରେ ଦୁଇଟି ଆନିକଟ ନିର୍ମାଣ ହେବ । ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ କୁଟୁରିଆ ଗ୍ରାମ ନିକଟରେ କୋଚିଲା ନଦୀରେ ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଧିନସ୍ଥ ଧୋବାବୀଲ ଗ୍ରାମ ନିକଟରେ ମିଳିତ ଆନିକଟ ନିର୍ମାଣ ହେବ । ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ୨୦୦ କୋଟି ଟଙ୍କା ଓ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିମନ୍ତେ ୧ କୋଟି ଟଙ୍କା ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଥିଲା । ଏବେ ୭ ଦିନ ପରେ ପୁଣିଥରେ କ୍ୟାବିନେଟ ବୈଠକ ଡକାଯାଇଛି ।