ଦୀପାବଳି ପରେ ଖୋଲିବ ସ୍କୁଲ, ମନ୍ଦିର ଓ ଧର୍ମସ୍ଥଳ

ମୁମ୍ବାଇ,ଏଜେନ୍ସି: କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ବନ୍ଦ ଥିବା ସ୍କୁଲ ଓ ମନ୍ଦିର ଗୁଡ଼ିକ ଖୁବଶୀଘ୍ର ଖୋଲାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ରବିବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଠାକରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଦେଇଛନ୍ତି। ସେ କହିଛନ୍ତି, ଦୀପାବଳି ପରେ କରୋନା କଟକଣାର ନୂତନ ଏସଓପି ଜାରି କରାଯିବ। ଏହି କ୍ରମରେ ଦୀପାବଳି ପରେ ସ୍କୁଲ ଖୋଲାଯିବାକୁ ପ୍ରସ୍ତୁତି ଚାଲିଛି ବୋଲି ମଧ୍ୟ ଠାକରେ କହିଛନ୍ତି।

ତେବେ ପୂର୍ବରୁ ଏଥି ଲାଗି ସୁରକ୍ଷା ପ୍ରୋଟୋକଲ ପ୍ରସ୍ତୁତ ହୋଇଛି। ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମସ୍ଥଳଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଉ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି। ସେ କହିଛନ୍ତି ଯେ, ଦୀପାବଳି ପରେ ମନ୍ଦିର ଖୋଲିବା ଲାଗି ଏସଓପି ପ୍ରସ୍ତୁତ କରାଯିବ। କିନ୍ତୁ ପୂଜାସ୍ଥଳଗୁଡ଼ିକୁ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। ତେବେ ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ଦେବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି। ସେହିପରି ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇ ସ୍କୁଲ ପାଇଁ ନୂତନ ଗାଇଡ଼ଲାଇନ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଠାକରେ କହିଛନ୍ତି।