ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତଲହରୀ: ଦିନକରେ ତାପମାତ୍ରା ୫ ଡିଗ୍ରୀ କମିଲା

ଫୁଲବାଣୀ,ଏନ୍ଏନ୍ଏସ୍: ଆଜି ଫୁଲବାଣୀ ଓ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀରେ ପହଞ୍ଚିଛି। ଶନିବାର ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ଥିବା ବେଳେ ରବିବାର ତାହା ୧୦.୫ ଡିଗ୍ରୀରେ ପହଞ୍ଚିଛି। ସେହିଭଳି ଗତ ୨ ଦିନ ହେଲା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରହୁଥିବା ବେଳେ ରବିବାର ତାହା ଖସିଆସି ୧୦.୫ ଡିଗ୍ରୀରେ ପହଞ୍ଚିଛି। ଆଜି ଫୁଲବାଣୀ, ଦାରିଙ୍ଗବାଡ଼ି, ବେଲଘର ସମେତ ବିଭିନ୍ନ ଅଞ୍ଚଳରେ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ସହିତ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଥିବାରୁ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବା ଅନୁମାନ କରାଯାଉଛି। ଶନିବାରଠାରୁ ସମଗ୍ର ଜିଲ୍ଲାରେ ସନ୍ଧ୍ୟାରେ ଶୀତର ପ୍ରକୋପ ବଢ଼ିବା ସହିତ ତାପମାତ୍ରା ହ୍ରାସ ପାଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି।

ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼, ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିବା ଜଣାପଡ଼ିଛି। ଚଳିତବର୍ଷ ଅଧିକ ବର୍ଷା ହୋଇଥିବାରୁ ଶୀତର ମାତ୍ରା ମଧ୍ୟ ଅଧିକ ହେବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଛି। ଶୀତ ଅଞ୍ଚଳବାସୀଙ୍କ ପାଇଁ ଏହା କଷ୍ଟଦାୟକ ହେଉଥିବାବେଳେ ପର୍ଯ୍ୟଟକମାନଙ୍କ ପାଇଁ ଶୀତର ଆଗମନ ଆନନ୍ଦଦାୟକ ହୋଇଛି। ଦାରିଙ୍ଗବାଡ଼ିରେ ଶୀତ ଆରମ୍ଭ ହୋଇଥିବାରୁ ବହୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନକୁ ଆସୁଥିବାବେଳେ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଚଳିତମାସ ୩୦ ତାରିଖ ଯାଏଁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଥିବାରୁ ଦାରିଙ୍ଗବାଡ଼ି ଓ ଅନ୍ୟ ପର୍ଯ୍ୟଟନ ସ୍ଥଳକୁ ଆସୁଥିବା ପର୍ଯ୍ୟଟକ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିନପାରି ନିରାଶରେ ଫେରୁଛନ୍ତି। ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ସରକାର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଥିବାବେଳେ ଓଡ଼ିଶାର କାଶ୍ମୀର ଭାବେ ଖ୍ୟାତ ଲାଭ କରିଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ସ୍ଥଳୀକୁ ନ ଖୋଲିବା ପାଇଁ କଡ଼ା ନିର୍ଦ୍ଦେଶନାମା ରହିଥିବାରୁ ଅଞ୍ଚଳର ହୋଟେଲ ମାଲିକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।