ଅପରାଧୀ ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି : ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ ସାରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ ଅସ୍ତ୍ର ଦ୍ୱାରା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଆଘାତ କରିଥିଲା। ମାହାଙ୍ଗା ଡବଲ୍ ମର୍ଡରକୁ ନେଇ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ କରିଥିବା ଆକ୍ଷେପର ଜବାବରେ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ, ବିଜେଡି ସରକାର ହିଂସାକାଣ୍ଡ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିବା ସହିତ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଯାହାକୁ ଓଡ଼ିଶାବାସୀ ପସନ୍ଦ କରିବା ସହିତ ପଞ୍ଚମଥର ପାଇଁ ବିଜେଡି ହାତରେ ରାଜ୍ୟ ଶାସନର ଡୋରି ଧରାଇଛନ୍ତି। ହେଲେ ବିଜେପି ଓଡ଼ିଶା ପ୍ରଭାରୀ ଏ ସଂକ୍ରାନ୍ତରେ ଅବଗତ ନାହାନ୍ତି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହିତ ପୀଡ଼ିିତ ପରିବାରକୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ। ବିଜେଡି ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ।