ଏଏନଏମଙ୍କ ଧାରଣା ପଛରେ ୫କୋଟିର ରାକେଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲୋୟର ପିଏମ୍ଜିରେ ଧାରଣାରେ ବସିଥିବା ଏଏନଏମ୍ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଠକିବା ନେଇ ରାଜ୍ୟରେ ଏକ ବଡ଼ଧରଣର ରାକେଟ୍ ଚାଲିଥିଲା। ରାକେଟ୍ ଜରିଆରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଠାରୁ ୧୫ହଜାର ଟଙ୍କା ଲେଖାଏଁ ନେଇ ଚାକିରୀ ଦେବାର ପ୍ରତିଶ୍ରୁତି ଦିଆଯାଇଛି। ଖାଲି ଟଙ୍କା ଦେଲେ ହେବନାହିଁ, ଚାକିରୀ ପାଇବାକୁ ହେଲେ ଧାରଣାରେ ବସିବାକୁ ପଡ଼ିବ ବୋଲି ସେମାନଙ୍କୁ କୁହାଯାଇଛି। ସମୁଦାୟ ୩୫୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟାର୍ଗେଟ୍ କରାଯାଇଛି। ଏମାନଙ୍କ ଠାରୁ ପାଖାପାଖି ୫କୋଟି ୨୫ଲକ୍ଷ ଟଙ୍କା ଆଦାୟ ହେବା ନେଇ ଯୋଜନା ହୋଇଥିଲା।

ଏହି ଘଟଣାର ଏକ ଅଡ଼ିଓ କ୍ଲିପ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କ୍ୟାପିଟାଲ ଥାନା ପୁଲିସ କେସ ନଂ ୧୧/୨୧ରେ ନିଜ ଆଡୁ ମାମଲା ରୁଜୁକରି ଗୁରୁବାର ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଅଞ୍ଚଳର କେ.ଅଶ୍ୱିନୀ ଡୋରା(୨୩), ତାରସିଂ ଥାନା ଅନ୍ତର୍ଗତ ଗାଲେରି ଅଞ୍ଚଳର ସନ୍ତୋଷ କୁମାର ସାହୁ(୨୩) ଓ କବିସୂର୍ଯ୍ୟନଗର ଅଞ୍ଚଳର ରାଜକିଶୋର ଆଚାରି। ଏମାନଙ୍କ ଠାରୁ ମୋବାଇଲ ସମେତ ନଗଦ ୫୧ହଜାର ଟଙ୍କା ଜବତ କରଯାଇଛି। ଏହି ଘଟଣାରେ ଧାରଣାରେ ବସିଥିବା କେତେକ ଏଏନ୍ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସେମାନଙ୍କ ନେତୃତ୍ୱ ନେଉଥିବା ନେତାମାନେ ସାମିଲ ଥିବା ଭୁବନେଶ୍ୱର ଡିସିପି ଡ.ଉମାଶଙ୍କର ଦାଶ କହିଛନ୍ତି।

ସୂଚନା ଅନୁଯାୟୀ, କୋଭିଡରେ ଅସ୍ଥାୟୀ ଭାବେ ଚାକିରି କରୁଥିବା ଏଏନଏମ୍ ସ୍ୱାସ୍ଥ୍ୟକର୍ମୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏନେଇ ସେମାନେ ସ୍ଥାୟୀ ନିଯୁକ୍ତି ଦାବି, ବକେୟା ଦରମା ଓ ବିଭିନ୍ନ ଦାବିନେଇ ୪୦ଦିନ ହେବ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ଏହାରି ମଧ୍ୟରେ ଧାରଣାରେ ନେତୃତ୍ୱ ନେଉଥିବା ଓ କେତେକ ସ୍ୱାସ୍ଥ୍ୟକର୍ମୀ ଏକାଠି ହୋଇ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିବା ନେଇ ଯୋଜନା କରିଥିଲେ। ଏସମ୍ପର୍କିତ ଏକ ଅଡ଼ିଓ କ୍ଲିପ୍ ସୋସିଆଲ ମିଡ଼ିଆରେ ଗତ ଦୁଇଦିନ ତଳେ ଭାଇରାଲ ହୋଇଥିଲା।