ଚେନ୍ନାଇ,ଏଜେନ୍ସି: ଆୟକର ବିଭାଗ ବୁଧବାର ଦିନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ଶଶିକଳାଙ୍କର ୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ୍ କରିଛି । ତାମିଲନାଡୁର କୋଡ଼ାନାଡ ଓ ସିରୁଆଥାବର ଅଞ୍ଚଳରୁ ଏହି ସମ୍ପତ୍ତି ଜବତ କରାଯାଇଛି । କେଉଁଠୁ କେତେ ସମ୍ପତ୍ତି ଜବତ୍ ହୋଇଛି ତାର ସମ୍ପୂର୍ଣ୍ଣ ତଥ୍ୟ ଆୟକର ବିଭାଗ ଦେଇନଥିବା ବେଳେ ପୂର୍ବରୁ ୩ ଶହ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ଜାତୀୟ ଗଣମାଧ୍ୟମ ତଥ୍ୟ ମୁତାବକ ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଜୟଲଲିତାଙ୍କ ବେଦ ନିୟଲମ୍ ନିକଟରେ ଥିବା ଜମି । ଯେଉଁ ଜମି ଉପରେ ଶ୍ରୀହରି ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ର ତିଆରି ହୋଇଥିଲା କୋଠା । ଏହାର ନିର୍ଦ୍ଦେଶକ ଶଶିକଳାଙ୍କ ସମ୍ପର୍କୀୟ ଥିଲେ ବୋଲି ଜଣାପଡିଛି ।
ଜମି ଜବତ ପରେ ଆୟକର ଅଧିକାରୀ କହିଛନ୍ତି, କମ୍ପାନୀ ପାଖରେ ନା ଥିଲା କିଛି ବ୍ୟବସାୟ ନା କୌଣସି ଅର୍ଥ କାରବାର । ପୂର୍ବ ବର୍ଷ ମଧ୍ୟ ଶଶିକଳାଙ୍କର ୧୫ ଶହ କୋଟିର ସମ୍ପତ୍ତି ଜବତ କରିଥିଲା ଆୟକର ବିଭାଗ । ଜବତ ହୋଇଥିବା ସମ୍ପତ୍ତି ଶଶିକଳା ଓ ତାଙ୍କ ସମ୍ପର୍କୀୟ ନାମରେ ରହିଥିଲା । ଏହି ସମ୍ପତ୍ତିକୁ ବେନାମୀ ଅଧିନିୟମ ଅନୁଯାୟୀ ଜବତ କରାଯାଇଥିଲା । ଚେନ୍ନାଇ, କୋଇମ୍ବାଟୁର, ପୁଡୁଚେରୀ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଥିବା ଏହି ସମ୍ପତ୍ତିକୁ ଶଶିକଳା କିମ୍ବା ତାଙ୍କ ସମ୍ପର୍କୀୟ ସରକାରଙ୍କୁ ଦେଇଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ ନଥିଲା ।