ପାଟନା,ଏଜେନ୍ସି: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ୱାଧିନ ଜେଡିୟୁ ବୁଧବାର ୧୧୫ ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି । ଏହି ତାଲିକା ଅନୁଯାୟୀ ଚନ୍ଦ୍ରିକା ରାୟ ପାରସା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ । ସେ ନିକଟରେ ଜେଡିୟୁରେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଚନ୍ଦ୍ରିକା ରାୟ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପଙ୍କ ଶ୍ୱଶୁର । ସେହିପରି ଲଲନ୍ ପାଶୱାନ ଚେନାରୀ ଆସନରୁ ପ୍ରାର୍ଥୀ ହେବେ । ଜେଡିୟୁ ଏବଂ ବିଜେପି ପୂର୍ବପରି ଏଥର ମଧ୍ୟ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ଦୁଇ ଦଳ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁଯାୟୀ ୨୪୩ ଆସନ ବିଶିଷ୍ଟ ବିଧାନସଭାର ୧୨୧ ଆସନରେ ବିଜେପି ଓ ୧୨୨ ଆସନରେ ଜେଡିୟୁ ଲଢିବ । ତେବେ ଜେଡିୟୁ ତା କୋଟାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାନ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହାମ୍)କୁ ୭ଟି ଆସନ ଛାଡିଦେବ । ସେହିପରି ବିଜେପି ତାର ୧୧ଟି ଆସନ ବିକାଶଶୀଳ ଇନ୍ସାନ୍ ପାର୍ଟିକୁ ଲଢିବା ପାଇଁ ଦେବ । ଏହି ଦଳଗୁଡିକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ବ୍ୟାନରରେ ନିର୍ବାଚନ ଲଢିବେ । ଉଲ୍ଳେଖଯୋଗ୍ୟ ଗତ ମଙ୍ଗଳବାର ରାତିରେ ବିଜେପି ପ୍ରଥମ ପର୍ଯ୍ୟାୟରେ ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।