ଆଦିବାସୀଙ୍କ ଘର ଭାଙ୍ଗିବା ଘଟଣାରେ ସରପଞ୍ଚ ନିଲମ୍ବିତ

ବଲାଙ୍ଗିର,ଏନ୍ଏନ୍ଏସ୍: ଜିଲ୍ଲାପାଳ କ୍ଷମତାକୁ ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିବା ସରପଞ୍ଚଙ୍କୁ ମହଙ୍ଗା ପଡ଼ିଲା। ପ୍ରଥମେ ଗିରଫ ଓ ପରେ ନିଲମ୍ବିତ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତର ସରପଞ୍ଚ ହେମକାନ୍ତି ମୁଣ୍ଡା। ହେମକାନ୍ତିଙ୍କୁ ପଞ୍ଚାୟତିରାଜ ବିଭାଗ ନିଲମ୍ବନ କରିଛି । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ସରପଞ୍ଚ ହେମକାନ୍ତି ମୁଣ୍ଡା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ଧ୍ୱଂସର ତାଣ୍ଡବ ଲୀଳା ରଚିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ ଆଦିବାସୀ ପରିବାରଙ୍କୁ ମିଳିଥିବା ଘରକୁ ବୁଲଡୋଜର ଚଢ଼ାଇ ମାଟିରେ ମିଶାଇ ଦେଇଥିଲେ । ଧ୍ୱଂସର ଏ ତାଣ୍ଡବ ଲୀଳା ରଚିବା ବେଳେ ଗରିବ, ନିରୀହ, ଭୂମିହୀନ ଆଦିବାସୀଙ୍କ କାନ୍ଦ-ବୋବାଳି, ବିନତୀକୁ ଟିକେ ବି ଭ୍ରୁକ୍ଷେପ କରିନଥିଲେ । ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡାଙ୍କୁ ଗିରଫ କରାଯାଇଥିଲା।