ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଇକେରା ସେବା ସମବାୟ ସମିତିରେ ଗୁରୁବାର ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ତଥା କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବାବେଳେ ୨ଟି କମ୍ପ୍ୟୁଟର, ୫ଟି ଲେପଟପ, ଏସି, ୨ଟି କୁଲର, ୨ଟି ଷ୍ଟାଣ୍ଡ ଫ୍ୟାନ୍, ୩ ଟି ସିଲିଙ୍ଗ ଫ୍ୟାନ୍, ୪ଟି ଚେୟାର, ଇନଭଟର, ଚାଷୀଙ୍କ ଋଣ କାଗଜପତ୍ର, କେଶ ବୁକ, ରିସିଭ ବହି, ସେଲ ରେଜିଷ୍ଟର ଓ ସେୟାର ରେଜିଷ୍ଟର ଆଦି ସମ୍ପୂର୍ଣ୍ଣ ଜଳିଯାଇଛି। ବିଭାଗୀୟ ଅଧିକାରୀ ଆଜି ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ଲଇକେରା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ସମବାୟ ସମିତିରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ, ସମବାୟ ସମିତିର ରାତ୍ରୀ ଜଗୁଆଳିି କାର୍ଯ୍ୟାଳୟକୁ ପହଞ୍ଚିବା ସମୟରେ ଅଫିସ ରୁମରୁ ଧୂଆଁ ବାହାରୁଥିଲା। ଅଫିସ ରୁମ ଖୋଲିଲା ପରେ ଭିତରେ ନିଆଁ ଲାଗିଥିବା ସେ ଦେଖିବାକୁ ପାଇଲେ। ଏନେଇ ତୁରନ୍ତ ସେ ନିକଟସ୍ଥ ଲୋକଙ୍କୁ ଜଣାଇବା ସହ ଲଇକେରା ଅଗ୍ନିଶମ ବିଭାଗକୁ ଫୋନ କରି ଘଟଣାସ୍ଥଳକୁ ଡକାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।