ବେଲପଡ଼ା ବ୍ଲକ ଅଫିସ ସମ୍ମୁଖରେ ସରପଞ୍ଚ ସଂଘର ଧାରଣା

ପାଟଣାଗଡ଼,ଏନ୍ଏନ୍ଏସ୍: ବେଲପଡ଼ା ବ୍ଲକ ଅଫିସ ସମ୍ମୁଖରେ ସରପଞ୍ଚ ସଂଘ ତରଫରୁ ଧାରଣ ଦିଆଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ରିପୋର୍ଟ ମୁତାବକ, ଗତବର୍ଷ କରୋନା ସମୟରେ ସରକାର ସାରା ରାଜ୍ୟରେ ଆସ୍ଥାୟୀ କେନ୍ଦ୍ର ଖୋଲି ସେଠାରେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ରଖିବାର ବ୍ୟବସ୍ଥା କରିଥିଲେ। ଅସ୍ଥାୟୀ କେନ୍ଦ୍ରରେ ଶ୍ରମିକଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ବିଭିନ୍ନ ପଞ୍ଚାୟତରେ ସରପଞ୍ଚମାନେ କରଜ ନେଇ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସରପଞ୍ଚଙ୍କୁ ବକେୟା ଟଙ୍କା ପ୍ରଦାନ କରାଯାଇନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ବକେୟା ଟଙ୍କା ପାଇଁ ଦାବୀ କରିବା ସତ୍ୱେ କୌଣସି ସୁଫଳ ନମିଳିବାରୁ ବେଲପଡ଼ା ସରପଞ୍ଚ ସଂଘର ସଭାପତି ମହାଦେବ ମେହେରଙ୍କ ନେତୃତ୍ୱରେ ୨୩ ଜଣ ସରପଞ୍ଚ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିଭିନ୍ନ ସ୍ଲୋଗାନ ଦେଇଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ଦାବୀ କରିଛନ୍ତି। ଖବର ପାଇ ବେଲପଡ଼ା ବିଡିଓ ଘଟଣାସ୍ଥଳରେ ପହଂଚି ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ରହିଥିଲେ। ଏସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ବ୍ଲକରେ କିଛି ସମସ୍ୟା ଅଛି ବୋଲି ସ୍ୱୀକାର କରିଥିଲେ।