ବ୍ଲକରେ ପଡିରହିଥିବା ଟଙ୍କା ଖର୍ଚ୍ଚ ହେଉନି, ସରପଞ୍ଚ ଓ ସମିତି ସଭ୍ୟଙ୍କ ଧାରଣା

ଦେଓଗାଁ ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଆସୁଛି। ହେଲେ ଉନ୍ନତି ମୂଳକ କାମ ନ ହୋଇ କେବେ ଟଙ୍କା ଫେରି ଯାଉଛି ତ କେବେ ଟଙ୍କା ପଡିରହୁଛି। ଏହି ପଡ଼ି ରହିଥିବା ଟଙ୍କାର ଶୀଘ୍ର କାମ ଆରମ୍ଭ କରିବା ଦାବିରେ ସୋମବାର ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା ମେହେରଙ୍କ ନେତୃତ୍ୱରେ ସରପଞ୍ଚ ଓ ସମିତି ସଭ୍ୟମାନେ ଧାରଣାରେ ବସିଛନ୍ତି। ଗତ ୨୦୧୯ ଅଗଷ୍ଟ ବନ୍ୟାରେ ଭାଙ୍ଗି ଯାଇଥିବା ରାସ୍ତାଘାଟକୁ ମରାମତି କରିବା ପାଇଁ ଆସିଥିବା ୧କୋଟି ୫୪ଲକ୍ଷ ୮ଶହ ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। କେଉଁ ରାସ୍ତାରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ମଧ୍ୟ ନିଷ୍ପତ୍ତି ହୋଇଛି। ହେଲେ କାମ ଭାଗ ବଣ୍ଟାକୁ ନେଇ କାମ ଆରମ୍ଭ କରାଯାଇ ନାହିଁ। ଗତ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ବିଡିଓ ୭ଦିନ ଭିତରେ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତିକୁ ୧୧ ଦିନ ବିତିଯାଇଥିଲେ ବି କାମ ଆରମ୍ଭ ନ ହେବାରୁ ବ୍ଲକ ସମ୍ମୁଖରେ ସରପଞ୍ଚ ଓ ସମିତି ସଭ୍ୟମାନେ ଧାରଣା ରେ ବସିଛନ୍ତି।