ଏସଏଚଜି ଗ୍ରୁପ ହାତରେ ଆହାର କେନ୍ଦ୍ର: ପୁରୁଣା କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ଖୋଲିଲା ଆହାର କେନ୍ଦ୍ର

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା କଟକଣା ଯୋଗୁଁ  ବନ୍ଦ ଥିବା ଆହାର କେନ୍ଦ୍ରଗୁଡିକୁ ଆଜିଠାରୁ ପୁଣି ଖୋଲାଯାଇଛି। ପୂର୍ବପରି ଲୋକେ ଏଠାରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମାତ୍ର ୫ ଟଙ୍କା ବିନିମୟରେ ଆହାର ଗ୍ରହଣ କରିପାରିବେ। ଲକଡାଉନ ପୂର୍ବରୁ ଆହାରକେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରାଯାଇ ଏହାର ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପ ହାତରେ ନ୍ୟସ୍ତ କରାଯାଇଛି। ଏହାର ପ୍ରତିବାଦରେ ଆହାର କେନ୍ଦ୍ରର ପୁରୁଣା କର୍ମଚାରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି।

ସେମାନେ କହିଛନ୍ତି ଦୀର୍ଘ ୭ ମାସ ଆହାର କେନ୍ଦ୍ର ବନ୍ଦ ହେବାପରେ ସେମାନେ ବେରୋଜଗାର ହୋଇଯାଇଥିଲେ। ତେବେ ଏହା ଖୋଲିଲାପରେ ସେମାନେ ପୁଣି ଚାକିରିରେ ଯୋଗ ଦେଇ ରୋଜଗାରକ୍ଷମ ହେବେ ଓ ପରିବାର ପ୍ରତିପୋଷଣ କରିବେ ବୋଲି ଆଶା ବାନ୍ଧିଥିଲେ।  ହେଲେ ଏହା ପୁନଃ ଖୋଲିବା ପରେ ତାଙ୍କୁ ପୂର୍ବରୁ କୌଣସି ସୂଚନା ନଦେଇ ହଠାତ ଚାକିରିରୁ ବାହାର କରି ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପକୁ ଦିଆଯିବା ତାଙ୍କ ପ୍ରତି ଅନ୍ୟୟ ଅଟେ। ତେଣୁ ଗତ ୭ ମାସର ଦରମା ପୁରୁଣା କର୍ମଚାରୀଙ୍କୁ ପ୍ରଦାନ କରିବା ସହ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ପୁରୁଣା କର୍ମଚାରୀମାନେ ଦାବି କରିଛନ୍ତି। ଅନ୍ୟପଟେ ସରକାରଙ୍କ ନିଷ୍ପତି ଅନୁସାରେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ଏଚଏଚଜି ଗ୍ରୁପକୁ ପ୍ରଦାନ କରାଯାଇଥିବାବେଳେ ଏନେଇ ଅଧିକ ସୂଚନା ପାଇଁ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇ ନଥିଲା।

ଆଜି ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ଅବସରରେ  ଉପଜିଲ୍ଲାପାଳ ଶିବ ଟପ୍ପୋ, ବ୍ରଜାରାଜନଗର ଏସଡିପିଓ ଦିଲିପ ଦାସ, ବେଲପାହାଡ ପୌର ନିର୍ବାହୀ ଅଧିକରୀ ଲୋକନାଥ ତିୱାରୀ, ଗୁରୁଦେବ ପ୍ରଧାନ, ପର୍ଶୁରାମ ସାହୁ, ଶଶାଙ୍କ ଦୀକ୍ଷିତ, ତପନ କାନ୍ତ ଜେନା, ଶମ୍ଭୁ ମହାନ୍ତି ରାଜେଶ ଭୋଇ ପ୍ରମୁଖଙ୍କ ସହଏସଏଚଜି ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ।