ଗ୍ରାମାଞ୍ଚଳରେ କରୋନା ମୃତକଙ୍କ ଶେଷକୃତ୍ୟ ପାଇଁ ସରପଞ୍ଚଙ୍କୁ ନେତୃତ୍ୱ ନେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ଦେବଗଡ଼,ଏନ୍ଏନ୍ଏସ୍ : କରୋନା ଦ୍ଵିତୀୟ ଲହର ଯୋଗୁ ସଂକ୍ରମିତ ସାଙ୍ଗକୁ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁଦିନ ବଢ଼ି ଚାଲିଛି। କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଉଥିବାବେଳେ ଆଉ କେତେକଙ୍କୁ ଗୃହ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି। ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନେକ ସ୍ଥାନରେ ପରିବାର ଲୋକେ ମୃତଦେହ ନେଉ ନଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶବ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୌରାଞ୍ଚଳରେ ଏଭଳି ସମସ୍ୟାକୁ ଜିଲ୍ଲା ପ୍ରଶାସନ ପୌରପରିଷଦ ସହାୟତାରେ ସମାଧାନ କରିପାରୁଥିବାବେଳେ ଗ୍ରାମାଞ୍ଚଳରେ କିନ୍ତୁ ଏହି ସମସ୍ୟା ସଭ୍ୟ ସମାଜ ପାଇଁ ଚିନ୍ତା ବଢ଼ାଇଛି। ଜିଲ୍ଲାର ଗ୍ରାମାଞ୍ଚଳ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ଗୃହ ସାଙ୍ଗରୋଧ ରହିଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲେ ବନ୍ଧୁ, ପରିଜନ, ସାହି ପଡ଼ିଶା ସମସ୍ତେ ଦୂରେଇ ଯାଉଥିବାବେଳେ ମୃତଦେହକୁ କାନ୍ଧେଇବା ପାଇଁ ଲୋକ ମିଳୁନାହାନ୍ତି। ଏପରିକି ଅନେକ ଗ୍ରାମରେ କରୋନାଜନିତ ମୃତ ବ୍ୟକ୍ତିଙ୍କ ଶବକୁ ଗାଁ ମସାଣିରେ ମଧ୍ୟ ଲୋକେ ବାରଣ କରି ଅନ୍ୟତ୍ର ପଠାଇ ଦେଉଥିବା ଜଣାପଡ଼ିଛି । ଏହି ସମସ୍ୟା ଆଗକୁ ଆହୁରି ବଢ଼ିବା ପୂର୍ବରୁ ଏହାର ସମାଧାନ ପାଇଁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଜିଲ୍ଲାର ସମସ୍ତ ବ୍ଲକର ବିଡିଓ ଏବଂ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ସରପଞ୍ଚମାନେ ନେତୃତ୍ୱ ନେଇ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରି ଏଭଳି ସମସ୍ୟାର ସମାଧାନ କରିବାକୁ କହିଛନ୍ତି। କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତଦେହକୁ ସମ୍ମାନ ସହ ଦାହ ସଂସ୍କାର ପାଇଁ ପ୍ରତ୍ୟକ ବ୍ଲକ ମୁଖ୍ୟାଳୟକୁ ୨ଟି ଲେଖାଏଁ ଗାଡ଼ି ସହ ପିପିଇ କିଟ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚମାନେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଏଭଳି ପରିସ୍ଥିତିରେ ମାନବ ସମାଜର ସେବା ପାଇଁ ପ୍ରବର୍ତ୍ତାଇ କରୋନା ମୃତକଙ୍କ ଶବକୁ ସମ୍ମାନ ସହ ଦାହ ସଂସ୍କାର କରିବାକୁ ଜିଲ୍ଲାପାଳ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି।