ପାରିବାରିକ କଳହ ଯୋଗୁ ନବଵିଵାହିତାଙ୍କ ଆତ୍ମହତ୍ୟା

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଖଇରନ୍ଧା ଗ୍ରାମରେ ଆଜି ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ନବଵିଵାହିତା କୀଟନାଶକ ପାନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଖଇରନ୍ଧା ଭେରୁବଣି ସାହିର ବୈଶାଖ କିସାନ (୨୪) ଅନ୍ଧାରି ଗ୍ରାମର ମେଘୁ କିସାନଙ୍କ ଝିଅ ତାରା କିସାନ(୧୯)ଙ୍କୁ ଗତ ୩ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ। କୌଣସି କାରଣକୁ କେନ୍ଦ୍ର କରି ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା। ତେବେ ରାତିରେ ଖିଆପିଆ ସାରି ସମସ୍ତେ ଶୋଇବା ପରେ ଆଜି ସକାଳୁ ତାରା ଘରେ ଥିବା କୀଟନାଶକକୁ ପାନ କରି ଦେଇଥିଲେ। ଏହା ଜାଣି ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାରାଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ସେଠାରେ ପହଂଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରିଥିଲେ। ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରିଆମାଳ ଭାରପ୍ରାପ୍ତ ଥାନା ଅଧିକାରୀ ଗୋପବନ୍ଧୁ ବେହେରା ସୂଚନା ଦେଇଛନ୍ତି।