ଦାରିଙ୍ଗବାଡ଼ିରେ ୨ୟ ସପ୍ତାହନ୍ତ ସଟ‌ଡାଉନ: ରାସ୍ତାଘାଟ ଶୂନଶାନ, ପୁଲିସ ପେଟ୍ରୋଲିଂ କଡ଼ାକଡ଼ି

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ଲାଗି ଚଳିତ ମାସର ପ୍ରତି ଶନି ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରାଯାଇଛି । ଆଜି ଚଳିତ ମାସର ୨ୟ ସପ୍ତାହନ୍ତ ସଟଡାଉନର ପ୍ରଥମ ଦିନରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ସମସ୍ତ ପ୍ରକାର ଦୋକାନ, ବଜାର ଓ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି । ଥାନା ଅଞ୍ଚଳରେ ଥିବା ଛକମାନଙ୍କରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଜିଲ୍ଲାକୁ ପ୍ରବେଶ କରିବାକୁ ଦିଆଯାଉ ନଥିବାବେଳେ ଅତି ଜରୁରୀ କାମ ଥିବା ଲୋକଙ୍କୁ ସହରକୁ ଛଡ଼ାଯାଉଛି। ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ୱାବଧାନରେ ଦାରିଙ୍ଗବାଡ଼ିର ବିଭିନ୍ନ ଛକମାନଙ୍କରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଥାନା ଅଧୀନରେ ଥିବା ଗ୍ରାମ ଗୁଡ଼ିକରେ ପୁଲିସ ତରଫରୁ ପେଟ୍ରୋଲିଂ କଡ଼ାକଡ଼ି କରାଯାଇ ବିଭିନ୍ନ ଛକ ନିକଟରେ ଯାନବାହନ ଯାଞ୍ଚ କରାଯାଉଛି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଗଞ୍ଜାମ ଜିଲ୍ଲାରୁ କୌଣସି ଲୋକ କନ୍ଧମାଳ ଜିଲ୍ଲାକୁ ଆସିପାରିବେ ନାହିଁ । ଯଦି ଗଞ୍ଜାମ ଜିଲ୍ଲାରୁ ଆସିବା ଅତ୍ୟନ୍ତ ଜରୁରୀ ତେବେ ଯେଉଁ ଅଞ୍ଚଳକୁ ଆସିବେ ସେହି ଅଞ୍ଚଳର ଉପଜିଲ୍ଲାପାଳଙ୍କଠାରୁ ଇ-ମେଲ କିମ୍ବା ହ୍ଵାଟ୍ସଆପ ଜରିଆରେ ଆବେଦନ କରି ଅନୁମତି ମାଗିପାରିବେ ଏବଂ ଅନୁମତି ମିଳିବା ପରେ ଅନୁମତି ପତ୍ର ଦେଖାଇ ଆସିପାରିବେ। ସେହିପରି ସ୍ଥାନୀୟ ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଜରୁରୀ ପରିସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ର ଯିବାକୁ ଅନୁମତି ରହିଛି। କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସପ୍ତାହର ଅନ୍ୟ ୫ଦିନ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଖୋଲା ରହିବ। କିନ୍ତୁ ସପ୍ତାହନ୍ତ ଦୁଇଦିନିଆ ସଟଡାଉନରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାରବାର ଏବଂ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସଟଡାଉନ ଯୋଗୁ ଦାରିଙ୍ଗବାଡ଼ି ଥାନା ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ସିମନବାଡ଼ି ଅଞ୍ଚଳ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି । ଏହି ସଟଡାଉନକୁ ଜନସାଧାରଣ ମଧ୍ୟ ସମର୍ଥନ କରୁଛନ୍ତି ।