ବୈଜ୍ଞାନିକ ଶରତ କୁମାର ପଳିତା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି

  • ଭୁବନେଶ୍ୱର: ପ୍ରଫେସର ତଥା ବରିଷ୍ଠ ବୈଜ୍ଞାନିକ ଶରତ କୁମାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି। ଯେପର୍ଯ୍ୟନ୍ତ ପରବର୍ତ୍ତୀ କୁଳପତିଙ୍କୁ ନିଯୁକ୍ତ କରାନଯାଇଛି, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରିବେ ଶରତ କୁମାର ପଳିତା। ଜଣେ ଦକ୍ଷ ଏବଂ ବରିଷ୍ଠ ପ୍ରଫେସରଭାବେ ଏମଆଇ ଓ ୟୁଜିସିର ପ୍ରାବଧାନ ଅନୁସାରେ ଭାରପ୍ରାପ୍ତ କୁଳପତିଭାବେ କର୍ତ୍ତବ୍ୟ ନିର୍ବାହ ପାଇଁ ପ୍ରଫେସର ପଳିତାଙ୍କୁ ଅନୁମତି ଦିଆଯାଇଛି।
  • ପ୍ରଫେସର ପଳିତା ମଧ୍ୟ ଜଣେ ବୈଜ୍ଞାନିକ ଅଟନ୍ତି। ସେ ବିଶ୍ୱବିଦ୍ୟାଳୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସରଂକ୍ଷଣର ବରିଷ୍ଠ ପ୍ରଫେସର ଅର୍ଥାତ ଡିନ ଭାବରେ ନିଯୁକ୍ତ ରହିଥିଲେ। ସେହିପରି ପୂର୍ବରୁ ବିଶ୍ୱବିଦ୍ୟାଳରେ ଇନଚାର୍ଜଭାବେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ପୂର୍ବରୁ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବାବେଳେ ପ୍ରଫେସର ପଳିତା ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ। କିପରି କଲେଜରେ ଶିକ୍ଷାଦାନର ମାନବୃଦ୍ଧି ପାଇବ ଏବଂ ଏଥିପାଇଁ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ତାହାକୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ।
  • ପ୍ରଫେସର ପଳିତା ଦୀର୍ଘ ୩୮ ବର୍ଷ ଧରି ଶିକ୍ଷାଦାନ ଜାରି ରଖିଥିବାବେଳେ ୨୯ ବର୍ଷ ବୟସରୁ ଅଧ୍ୟାପନା ଆରମ୍ଭ କରିଥିଲେ। କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ସ୍ୱୟଂଶାସିତ କଲେଜରୁ ଜୁଲୋଜି ଅଧ୍ୟାପକଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ଭିତରେ ୮ ବର୍ଷ ହେବ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଜୈବ ବିବିଧତା ଉପରେ ଶିକ୍ଷାଦାନ ଜାରି ରଖିଥିଲେ। ବର୍ତ୍ତମାନ ତାଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତିଭାବେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।