ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ ସମ୍ବିତ ପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର/ସଂଶୋଧନ କରିବା ପାଇଁ ସମ୍ବିତ ରବିବାର ଏକ ଆବେଦନ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ଜଣାଇବା ସହ ବିଶ୍ୱନିୟନ୍ତା ଆମ ସମସ୍ତଙ୍କ ଗୁହାରୀ ଶୁଣିବେ ବୋଲି ଆଶା ପ୍ରକାଶ କରିଛନ୍ତି। ସମ୍ବିତ ଏନେଇ ମଧ୍ୟ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ, କରୋନା ପାଇଁ ସୁପ୍ରିମକୋର୍ଟ ଚଳିତବର୍ଷ ରଥଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତିି। ମୁଁ ସୁପ୍ରିମକୋର୍ଟରେ ଏନେଇ ଗୁହାରୀ କରିଛି ଯେ, ସୁପ୍ରିମକୋର୍ଟ ପୁଣିଥରେ ଆମ ଅନୁରୋଧ ଶୁଣି ନିଜ ନିଷ୍ପତ୍ତିରେ ସଂଶୋଧନ ଆଣନ୍ତୁ। ରଥଯାତ୍ରା ଆମମାନଙ୍କ ପାଇଁ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ଜାତି ପାଇଁ ରଥଯାତ୍ରା ଜୀବନ ସଦୃଶ୍ୟ ଅଟେ। ପ୍ରଭୁ ଜଗନ୍ନାଥ ଆମ ଜୀବନ ଅଟନ୍ତି। ମୁଁ ଆଶା କରୁଛି ସୋମବାର ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମକୁ ପ୍ରାପ୍ତ ହେବ। ସୁପ୍ରିମକୋର୍ଟ ସମସ୍ତ ବିଷୟକୁ ଶୁଣି ନିଜ ରାୟରେ ସଂଶୋଧନ ଆଣିବେ ବୋଲି ସମ୍ବିତ ଆଶା ପ୍ରକାଶ କରିଛନ୍ତି। ସୋମବାର ରଥଯାତ୍ରା ହେବା ପାଇଁ ମୁଁ ଉପବାସ କରିବି ବୋଲି ସେ କହିଛନ୍ତି।