ଜନ୍ମଦିନ ଓ ବିବାହ ବାର୍ଷିକୀ ଭୋଜି ଖାଇ ୧୭ କରୋନା ସଂକ୍ରମିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ବ୍ରଜରାଜନଗର ଓପିଏମ କଲୋନୀରର ବାସିନ୍ଦା ଅଟନ୍ତି। ଏହି ୧୭ ଜଣ କିଛିଦିନ ପୂର୍ବେ ଓପିଏମ କଲୋନୀରେ ହୋଇଥିବା ଏକ ବିବାହ ବାର୍ଷିକୀ ଏବଂ ଜନ୍ମଦିନ ଭୋଜିରେ ଯୋଗଦେଇଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ଗୁରଗାଓଁରୁ ଜଣେ ମହିଳା ଓପିଏମ୍ ଅଞ୍ଚଳରେ ଥିବା ତାଙ୍କ ମାମୁଁ ଘରକୁ ଆସି ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ତାଙ୍କ ସହ ତାଙ୍କର ସ୍ୱାମୀ ଏବଂ ଏକ ପୁଅ ମଧ୍ୟ ଆସିଥିଲେ। କିଛିଦିନ ପରେ ତାଙ୍କ ପୁଅର ଜନ୍ମଦିନ ପାଳନରେ କଲୋନୀର ପଡୋଶୀମାନେ ଯୋଗଦେଇଥିଲେ । ଏହାପରେ ପଡୋଶୀମାନେ କଲୋନୀରେ ଏକ ବିବାହ ବାର୍ଷିକୀରେ ମଧ୍ୟ ଯୋଗଦେଇଥିଲେ। ତେବେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଜନ୍ମଦିନ ପାଳନ କରାଯାଇଥିବା ଘରର ମୁଖ୍ୟ ଏବଂ ବିବାହ ବାର୍ଷିକୀ ପାଳନ କରାଯାଇଥିବା ଘରର ମୁଖ୍ୟ ବ୍ୟକ୍ତିଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଶ୍ରୀ ସାମଲ ସୂଚନା ଦେଇଛନ୍ତି।