ବିନା ଭକ୍ତରେ କରାଯାଉ ରଥଯାତ୍ରା : ଭିତର ସେବାୟତ ନିଯୋଗ

ପୁରୀ,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟଙ୍କ ଆଦେଶର ଯେପରି ବିକଳ୍ପ ନାହିଁ ସେହିଭଳି ରଥଯାତ୍ରାର ବିକଳ୍ପ ପରିକଳ୍ପନା କରାଯାଇ ନପାରେ। ରାଜ୍ୟ ସରକାର କ୍ୟାବିନେଟର ସ୍ୱତନ୍ତ୍ର ବୈଠକ ଡକାଇ ଅର୍ଡିନାନ୍ସ ଜାରି କରି ମଧ୍ୟ ରଥଯାତ୍ରା କରିପାରିବେ ବୋଲି ମତପ୍ରକାଶ କରିବା ସହ ସାଂପ୍ରତିକ ସମସ୍ୟାରେ ମୁଖ୍ୟମନ୍ତ୍ରୀ  ହସ୍ତକ୍ଷେପ କରିବାକୁ ଦାବି କରିଛି ଭିତର ସେବାୟତ ନିଯୋଗ। ରବିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଯୋଗର କର୍ମକର୍ତ୍ତା ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର ଓ ଅନନ୍ତ ତିଆଡ଼ି କହିଛନ୍ତି ଯେ, ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ କରାଯିବା ଆବଶ୍ୟକ।

ବିନା ଭକ୍ତରେ ରଥଯାତ୍ରା କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହା କିପରି କାର୍ଯ୍ୟକାରୀ ହେବ ଏବଂ ସମସ୍ତ ଭକ୍ତ ସର୍ବୋପରି ଜନସାଧାରଣଙ୍କ ଭାବାବେଗ ଅକ୍ଷୂର୍ଣ୍ଣ ରହିବ ସେଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ନିଯୋଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କର ପରମଭକ୍ତ। ଜଗତଗୁରୁ ଶଙ୍କରାଚାର୍ଯ୍ୟ ରଥଯାତ୍ରା କରାଯିବା ସପକ୍ଷରେ ତାଙ୍କ ମତ ଦେଇ ସାରିଥିବାବେଳେ ଗଜପତି ମହାରାଜା ମଧ୍ୟ ରାଜ୍ୟ ସରକାରଙ୍କୁ ରଥଯାତ୍ରା କରାଇବାକୁ ଅନୁରୋଧ କରିଛନ୍ତି।  ପରମ୍ପରା ମତେ ଗୁଣ୍ଡିଚା ଯାତ୍ରାର ପୂର୍ବଦିନ ତିନିରଥ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥାଏ। ରଥଟଣା ପୂର୍ବରୁ ଆଜ୍ଞାମାଳ ବିଜେ ହୋଇଥାଏ। ତେଣୁ ଆସନ୍ତାକାଲି ତିନିଜଣ ପୂଜାପଣ୍ଡା ସେବାୟତ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ତିନିରଥରେ ଲାଗି କରିବେ।