ବଗଲା ଜମିକୁ ନେଇ ଦିଲ୍ଲୀରେ ବର୍ଷିଲେ ସମ୍ବିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର। ରାଜ୍ୟ ସରକାର ହୀନ ଚକ୍ରାନ୍ତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରିଦେବାର ଅପପ୍ରୟାସ କରୁଛନ୍ତି। କିଛି ତୁଙ୍ଗ ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଖୁସ୍ କରିବା ପାଇଁ ରାଜ୍ୟ ସରକାର ମସୁଧା କରୁଛନ୍ତି। ତେବେ ସତ ଧରାପଡ଼ିଯିବାରୁ ମିଥ୍ୟା ଅଭିଯୋଗ କରି ରାଜ୍ୟ ସରକାର ଖସିଯିବାର ପ୍ରୟାସ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ଗତ ଜୁଲାଇ ମାସ ୧ ତାରିଖ ଦିନ ଆଇଟିଡିସିର ମୁଖ୍ୟଙ୍କୁ ପତ୍ର ଲେଖିଥିଲେ। ଚିଠିରେ ସଚିବ ଗତ ୬ ବର୍ଷ ଧରି ଟେଣ୍ଡର କାର୍ଯ୍ୟରେ ବିଳମ୍ବ ହେବା କାରଣରୁ ବଗଲା ଧର୍ମଶାଳା ଜମି ଉପରେ ନିର୍ମିତ ହେବାକୁ ଥିବା ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀ ସହ ଅନ୍ୟ ୩ଟି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଦିଆଗଲା ବୋଲି ଉଲ୍ଲେଖ କରିଥିଲେ। ଯାହାକି ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ସଚିବଙ୍କ ଚିଠିର ଉତ୍ତର ଆଇଟିଡିସି ପକ୍ଷରୁୁ ଜୁଲାଇ ୯ ତାରିଖ ଦିନ ପତ୍ର ମାଧ୍ୟମରେ ଦିଆଯାଇଛି। ସୂଚନାଯୋଗ୍ୟ ଯେ ପ୍ରସାଦ ଯୋଜନାରେ ରାଜ୍ୟ ସରକାର ପୁରୀ ଓ ଜଗନ୍ନାଥ ଧାମର ସୈାନ୍ଦର୍ଯ୍ୟକରଣ ପାଇଁ ୨୬ ଜୁନ୍ ୨୦୧୫ରେ ୫୦ କୋଟି ଟଙ୍କା ଖର୍ଚ୍ଚର ଏକ ପ୍ରସ୍ତାବ ଆଇଟିଡିସିକୁ ଦେଇଥିଲେ। ଆଇଟିଡିସି ଏହି ପ୍ରସ୍ତାବକୁ ତତ୍କ୍ଷଣାତ ପାରିତ କରି ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଥିଲା। ଆଇଟିଡିସି ପକ୍ଷରୁ ପ୍ରସ୍ତୁତ ନକ୍ସାରେ ପରିବର୍ତ୍ତନ କରିବା ସହ ରାଜ୍ୟ ସରକାର ୨୭ ନଭେମ୍ବର ୨୦୧୭ରେ ଆଇଟିଡିସିକୁ ଏହି ପ୍ରକଳ୍ପର ଖର୍ଚ୍ଚ ରାଶି ୫୦ କୋଟିରୁ ୭୮ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଚିଠି ଲେଖିଥିଲେ। ଶେଷରେ ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀର ନିର୍ମାଣ କାର୍ଯ୍ୟ ବଗଲା ଧର୍ମଶାଳା ଜମିରେ ହେବାର ନିଷ୍ପତ୍ତି ଗ୍ରହଣ କରାଯାଇ ଜମିକୁ ଆଇଟିଡିସିକୁ ହସ୍ତାନ୍ତର କରାଗଲା। ଖୋଲା ଟେଣ୍ଡର ମାଧ୍ୟମରେ ନିର୍ମାଣ କାର୍ଯ୍ୟର ଠିକା ପାଇଁ ଆହ୍ୱାନ କରାଯାଇ ୭ ମେ’ ୨୦୧୯ ରେ ବି.ସି. ଭୂୟାଁ ଠିକା ସଂସ୍ଥାକୁ ୨୦.୮୮ କୋଟି ଟଙ୍କାର ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଦିଆଯାଇଥିଲା। ତେବେ ୨୧ ଜୁନ୍ ୨୦୧୯ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାଖାପାଖି ୩.୨୬ କୋଟି ଟଙ୍କା ଖର୍ଚ୍ଚ ହୋଇ ପ୍ଲିଂତ୍ ଲେବଲର କାର୍ଯ୍ୟ ଶେଷ ହୋଇଥିବାବେଳେ ହଠାତ୍ ୨୦୧୯ ମସିଆ ନଭେମ୍ବର ୧ ତାରିଖରେ ରାଜ୍ୟ ସରକାର ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହଠାତ୍ ନିର୍ମାଣ କାର୍ଯ୍ୟ ବନ୍ଦ କରାଗଲେ ଖର୍ଚ୍ଚ ହୋଇଥିବା ୩.୨୬ କୋଟି ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ଆଇଟିଡିସି ତରଫରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା ବୋଲି ଡ. ପାତ୍ର ଚିଠିର ନକଲ ଦେଖାଇ କହିଛନ୍ତି। ତେବେ କୌଣସି ଜବାବ୍ ନଆସିବାରୁ ତିନି ତିନିଥର ଆଇଟିଡିସି ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଆଭିମୁଖ୍ୟ ସମ୍ପର୍କରେ ପଚାରିବା ସହ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ କରିବାକୁ ଅନୁମତି ଲୋଡ଼ାଯାଇଥିଲା। ତେବେ ଓଟିଡିସି ତରଫରୁ ଲିଖିତ ଏକ ଚିଠି ଯାହାକି ଗତ ୨ ଜୁନ୍ ୨୦୨୦ ତାରିଖରେ ଆଇଟିଡିସିକୁ ହସ୍ତଗତ ହୋଇଥିଲା, ସେଥିରେ ଉଲ୍ଲେଖ ହୋଇଥିଲା ଯେ ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀ ପାଇଁ ପୁରୀର ଅନ୍ୟ ଏକ ସ୍ଥାନରେ ୨ ଏକର ଜମି ଯୋଗାଇ ଦିଆଯିବ। ମାତ୍ର ଏହି ଜମି ଅତ୍ୟନ୍ତ ତଳୁଆ ଅଞ୍ଚ ଏବଂ ଗମନାଗମନ ପାଇଁ ଅସୁବିଧା ଥିବା କାରଣରୁ ଏଥି ପାଇଁ ୨.୫ କୋଟିରୁ ୩ କୋଟି ଟଙ୍କା ଅଧିକ ଅର୍ଥ ଖର୍ଚ୍ଚ ହେବ ବୋଲି ଆଇଟିଡିସି ତରଫରୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏ ସମ୍ପର୍କରେ କୌଣସି ଉତ୍ତର ଦେଇନାହାନ୍ତି। ପ୍ରଥମେ ବଗଲା ଧର୍ମଶାଳା ଜମିକୁ ନିର୍ମାଣ କାର୍ଯ୍ୟ ପାଇଁ ଆଇଟିଡିସିକୁ ହସ୍ତାନ୍ତର, ପ୍ରକଳ୍ପ ଖର୍ଚ୍ଚ ପରିମାଣ ୫୦ କୋଟିରୁ ୭୮ କୋଟି ଟଙ୍କା ବୃଦ୍ଧି କରିବା, ୩.୨୬ କୋଟି ଟଙ୍କା ଖର୍ଚ୍ଚ ସରିଥିବା ବେଳେ ହଠାତ୍ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାର ନିର୍ଦ୍ଦେଶ ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା। ପରେ ବଗଲା ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିବାର ନିଷ୍ପତ୍ତି, ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥରେ କରିଲେ ବୋଲି ଡ.ପାତ୍ର ପ୍ରଶ୍ନ କରିଛନ୍ତି।