ଗାଡ଼ିରେ ବସିଥିବାବେଳେ ଟଳିପଡିଲେ ଖେଳ ଶିକ୍ଷକ

ଏମିତି ବି ମୃତ୍ୟୁ ଆସେ...

ଫିରିଙ୍ଗିଆ,କ.ନୂଆଗାଁ,ଏନ୍ଏନ୍ଏସ୍: ମୃତ୍ୟୁ ଯେ କେତେବେଳେ କେମିତି ଆସିବ ତାହା କାହାକୁ ଜଣାନାହିଁ। ଏହାର ଏକ ଉଦାହରଣ ଆଜି ଫିରିଙ୍ଗିଆ ବଜାରରେ ଦେଖିବାକୁ ମିଳିଛି। ସୁଜିତ୍ କୁମାର ମିଶ୍ର / ଲିକୁନ୍ (୩୨)ନାମକ ଜଣେ ଖେଳ ଶିକ୍ଷକ ଆଜି ପୂର୍ବାହ୍ନରେ ଫିରିଙ୍ଗିଆ ବସ୍ ଷ୍ଟାଣ୍ଡରେ ନିଜ ବାଇକରେ ବସିଥିବାବେଳେ ଅଚାନକ ତଳେ ପଡିଯାଇଥିଲେ। ଫଳରେ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପ୍ରକାଶ ଯେ, ସ୍ୱର୍ଗତ ଲିକୁନ୍ ଆଜି ତାଙ୍କ ନବବିବାହିତ ସ୍ତ୍ରୀ ଓ ମାଆଙ୍କୁ ଫିରିଙ୍ଗିଆ ଡାକ୍ତରଖାନା ନେଇଥିଲେ। ଚିକିତ୍ସା ସରିବା ପରେ ସ୍ତ୍ରୀ ଓ ମାଆ ଚାଲିଚାଲି ପାଖରେ ଥିବା ଘରକୁ ଯାଉଥିବାବେଳେ ସୁଜିତ ବସ୍ ଷ୍ଟାଣ୍ଡକୁ ନିଜ ବାଇକରେ ଆସିଥିଲେ। ସେଠାରେ ବାଇକ୍ ଉପରେ ବସିଥିବାବେଳେ ହଠାତ୍ ପଡ଼ିଯିବାରୁ ଗାଡିରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା।  ସ୍ଥାନୀୟ ଲୋକେ ତାଙ୍କୁ ଫିରିଙ୍ଗିଆ ଡ଼ାକ୍ତରଖାନାକୁ ନେଇଥିଲାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ପରିବାରକୁ ଶବ ହସ୍ତାନ୍ତର କରିଛି।