ବଜ୍ରାଘାତ ନେଲା ୬ ଜୀବନ

କେନ୍ଦୁଝର, ବାଲେଶ୍ୱର, ନୟାଗଡ଼,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାପୁଆସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା, ହାଟଡ଼ିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ ଇଞ୍ଚୋଳ ଗ୍ରାମର ଗଣେଶ ଜେନା(୬୨), ସମଣା ପଞ୍ଚାୟତ ବାହାରିପୁର ଗ୍ରାମର ବଲ୍ଲଭ ବେହେରା(୪୬) ଓ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣ୍ଡୁଆ ଗାଁର କଳ୍ପନା ପ୍ରଧାନ(୧୨)।
ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ଆନନ୍ଦପୁର ଉପଖଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ଚାଷ ଜମିରେ କାମ କରୁଥିବା ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଉକ୍ତ ଥାନା ଅଞ୍ଚଳର ପଣ୍ଡୁଆ ଗାଁର କଳ୍ପନା ଘର ପାଖରେ ଖେଳୁଥିବାବେଳେ ବଜ୍ରାଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିିଛି। ଇଞ୍ଚୋଳ ଗ୍ରାମର ଗଣେଶ ଘାସ କାଟିବାକୁ ବିଲକୁ ଯାଇଥବା ବେଳେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବଲ୍ଲଭ ବିଲରେ କାର୍ଯ୍ୟ କରୁଥିବାବେଳେ ବଜ୍ରପାତରେ ଗୁରୁତର ହୋଇଥିଲେ। ବଲ୍ଲଭଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେହିଭଳି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘଟା ଗ୍ରାମରେ ଆଜି ବଜ୍ରପାତ ଘଟି ବାଇରାତଆଡି ସାହିର ସ୍ୱର୍ଗତ ସୁଧୀର ମହାନ୍ତିଙ୍କ ପୁଅ କାର୍ତ୍ତିକ ମହାନ୍ତି(୩୪)ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ôଚ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ବାଇରାତଆଡ଼ି ସାହିର କାର୍ତ୍ତିକ ଆଜି ୪ରୁ ୫ଜଣ ବ୍ୟକ୍ତିଙ୍କ ସହ ଜଳେଶ୍ୱରସ୍ଥିତ ବାସନ୍ତିପଡ଼ିଆ ନିକଟସ୍ଥ ବିଲରେ କାମ କରୁଥିଲେ। ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଇକିରି ପଞ୍ଚାୟତ ଖଇରପଟି ଗ୍ରାମରେ ବଜ୍ରାଘାତ ଘଟି ସୁଧାଂଶୁ ଶେଖର ବେହେରାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।