ଖୋଲୁନି ଭିସୁଟ୍‌ ଛାତ୍ରୀ ଚିନ୍ମୟୀର ମୃତ୍ୟୁ ରହସ୍ୟ, ବାପା ମାଆଙ୍କୁ ପଚରାଉଚରା

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ବୁର୍ଲା ଭିସୁଟର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ମାମଲା । ଏନେଇ ପୋଲିସର ତଦନ୍ତ ଜାରି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୃତ୍ୟୁର ସଠିକ କାରଣ ଆସିପାରିନି । ଚିନ୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ନା ଏକ ଦୁର୍ଘଟଣା ତା ଉପରୁ ଆଜି ମଧ୍ୟ ଉଠି ପାରିଲାନି ପରଦା । ନିଶାସକ୍ତ ଅବସ୍ଥାରେ ଥିଲେ କି ଚିନ୍ମୟୀ ଓ ପ୍ରୀତିମାନ ଏନେଇ ଏବେ ପ୍ରଶ୍ନ ଉଠିଛି । ୨୦ରୁ ଊର୍ଦ୍ଧ୍ବ ସହପାଠୀଙ୍କୁ ଏହି ଘଟଣାକୁ ନେଇ ପୋଲିସ ଜେରା କରିସାରିଲାଣି । ତେବେ ଏହି ଘଟଣା କ୍ରମରେ ଗତକାଲି ଚିନ୍ମୟୀଙ୍କ ବାପା ମାଆଙ୍କୁ ସମ୍ବଲପୁର ଡକାଯାଇ ହୀରାକୁଦ ଏସ୍‌ଡିପିଓ ଅଫିସରେ ଏକ ବନ୍ଦ କୋଠରୀରେ ୫ ଘଣ୍ଟା ଧରି ପଚରାଉଚରା କରିଥିଲେ । ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଓ ସମ୍ବଲପୁର ଏସପି ବତୁଲା ଗଙ୍ଗାଧରଙ୍କ ଉପସ୍ଥିତିରେ ଚିନ୍ମୟୀ ବାପା ମାଆଙ୍କୁ ପଚରା ଉଚରା କରାଯାଇଛି l

ବର୍ତ୍ତମାନ ରହସ୍ୟ ଘେରରେ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ଘଟଣାକୁ ୬ ଦିନ ପୁରିଥିଲେ ବି କୌଣସି ସୁରାକ ପାଉନି ବୁର୍ଲା ପୋଲିସ । ସାଇଣ୍ଟିଫିକ ଟିମର ଘନ ଘନ ତଦନ୍ତ ବି କାମକୁ ଆସୁନି । ଲାଏ ଡିଟେକସନ ପରେ ବି ସବୁ ଓଲଟପାଲଟ ଭଳିଆ ପରିସ୍ଥିତି ରହିଛି । ଲାଏ ଡିଟେକସନ ସମୟରେ ଦୁଇ ବନ୍ଧୁଙ୍କ କେତେକ କଥାରେ ରହିଲା ନାହିଁ ତାଳମେଳ ବୋଲି ଚର୍ଚ୍ଚା ରହିଛି । ସେପଟେ ଚିନ୍ମୟୀଙ୍କ ଲ୍ୟାପଟପ, ପେନ ଡ୍ରାଇଭ, ଡାଇରୀ ଏବେ ପୋଲିସ ହାତରେ । ସନ୍ଦିଗ୍ଧ ଅଭିଯୁକ୍ତ ପ୍ରୀତିମାନ ଓ ତାଙ୍କ ୨୦ରୁ ଊର୍ଦ୍ଧ୍ବ ସହପାଠୀଙ୍କ ବୟାନ, ସମଲେଶ୍ବରୀ ଢ଼ାବାର ସିସିଟିଭି ଫୁଟେଜ, ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା, ଲାଏ ଡିଟେକସନ, ପୋଷ୍ଟମର୍ଟମ ରିପୋର୍ଟ, ଚିନ୍ମୟୀଙ୍କ କମ୍ପ୍ୟୁଟର, ଡାଇରୀ ସହ ପାରିପାର୍ଶ୍ବିକ ସାକ୍ଷ୍ୟ ପ୍ରମାଣ ଅଭିଯୁକ୍ତକୁ ଗିରଫ ପାଇଁ ଯଥେଷ୍ଟ ହେଉନି ।

ଅନ୍ୟପଟେ ବୁର୍ଲା ପୋଲିସର ତିନୋଟି ଟିମ ଘଟଣା ଉପରୁ ପରଦା ଉଠାଇବା ପାଇଁ ତିନିରୁ ଊର୍ଦ୍ଧ୍ବ ଜିଲ୍ଲାରେ ୪ ଦିନ ହେବ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗିଛି । ପାଞ୍ଚ ଦିନ ପରେ ପୋଲିସ ଜାଣିପାରୁନି ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ଆତ୍ମହତ୍ୟା, ହତ୍ୟା ନା ଏକ ଦୁର୍ଘଟଣା । ଜିଲ୍ଲାର ଉଚ୍ଚ ପଦସ୍ତ ପୋଲିସ ଅଧିକାରୀଙ୍କ ତୁହାକୁ ତୁହା ରୁଦ୍ଧଦ୍ବାର ବୈଠକ ବି ଚାଲୁଛି । ଲାଏ ଡିଟେକସନ ରିପୋର୍ଟ ଓ ଭିସେରା ରିପୋର୍ଟ ମିଳିଲା ପରେ କିଛି ନିର୍ଣ୍ଣୟରେ ପହଞ୍ଚି ପାରେ ପୋଲିସ ବୋଲି କହିଛନ୍ତି ସମ୍ବଲପୁର ଏସପି ।

ଚିନ୍ମୟୀ, ପ୍ରୀତିମାନ ଓ ମାନସ ଖାଇଥିବା ବୁର୍ଲା ନିକଟସ୍ଥ ସମଲେଶ୍ବରୀ ଢ଼ାବା ଯାଇ ତଦନ୍ତ କରିଛି ପୋଲିସ । ଢ଼ାବାରେ ଏମାନେ କୌଣସି ମାଦକ ଦ୍ରବ୍ୟ ନେଇଥିଲେ କି ନାହିଁ ତା ଉପରେ ଢ଼ାବା ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ । ଢ଼ାବାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ସଂଗ୍ରହ କରିଛି । ଯଦି ଚିନ୍ମୟୀଙ୍କ ମୃତ୍ୟୁ ଷଡଯନ୍ତ୍ରରେ ସାମିଲ ହୋଇଥାନ୍ତି ତେବେ ଦଫା ୩୦୨ରେ ଗିରଫ ହୋଇପାରନ୍ତି ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ।