ଭୂକମ୍ପରେ ଥରିଲା ନିକୋବର ଦ୍ବୀପପୁଞ୍ଜ, ୫.୦ ତୀବ୍ରତା ରେକର୍ଡ

ବ୍ଲେୟାର,ଏଜେନ୍ସି: ସକାଳୁ ସକାଳୁ ଭୂକମ୍ପରେ ଥରିଲା ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ କରାଯାଇଛି । ଆଜି ସକାଳ ୫ଟା ୭ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ନିକୋବର ଦ୍ବୀପପୁଞ୍ଜରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି । ଏହାର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଏହାସହ ଭୂକମ୍ପର ଅକ୍ଷାଂଶ ୭.୯୭ ଏବଂ ଦ୍ରାଘିମା ୯୧.୬୫ ରହିଥିଲା । ଭୂକମ୍ପରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।