ପ୍ରତିଶ୍ରୁତି ପାଳିଲାନି ବୀମା କମ୍ପାନୀ : ଚାଷୀଙ୍କୁ ପୈଠ ହେଲାନି ପ୍ରାପ୍ୟ

ସମ୍ବଲପୁର,ଏନ୍ଏନ୍ଏସ୍ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ୧୨ ହଜାର ଚାଷୀଙ୍କ ୨୦୧୮ ମସିହା ଖରିଫ୍ ୠତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରାପ୍ୟ ପୈଠ ନେଇ ଅନିଶ୍ଚିତତାରୁ ପୁଣି ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି। ଆଜି ଉପଖଣ୍ଡର ୫୫ ଟି ଯାକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀମାନେ ତାଲା ପକାଇ ଦେଇଛନ୍ତି। ଏହାସହିତ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ସେମାନେ କଳାଦିବସ ପାଳନ କରିବେ ହେଲେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ କଳା ବ୍ୟାଚ ପିନ୍ଧି ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହମାନଙ୍କରେ ଭାଗ ନେବେ ବୋଲି ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ, କୁଚିଣ୍ଡା ଉପଖଣ୍ଡର ଚାଷୀମାନେ ମରୁଡ଼ି ଓ ରୋଗପୋକରେ ଫସଲ କ୍ଷୟକ୍ଷତି ସତ୍ତେ୍ୱ ୨୦୧୮ ମସିହା ଖରିଫ୍ ଋତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାପ୍ୟ ପାଇନଥିବାରୁ ଲଗାତାର୍ ଆନ୍ଦୋଳନ କରି ଆସିଛନ୍ତି।

ଚାଷୀମାନେ ମାସାଧିକ କାଳ ବ୍ଲକ ଓ ଉପଖଣ୍ଡ ସଦର ମହକୁମାରେ ଧାରଣା ଜିଲ୍ଲାର ସୀମାନ୍ତରେ ବାମରା ରେଳଷ୍ଟେସନରେ ୨୨ କିଲୋମିଟର ରେଳ ଲାଇନ୍ ଅବରୋଧ, ଉପଖଣ୍ଡରେ ବନ୍ଦ ପାଳନ ତଥା ସମ୍ବଲପୁର କଲେକ୍ଟୋରେଟ ସମ୍ମୁଖରେ ମାସାଧିକ ସମୂହ ଅନଶନ କରିଥିଲେ। ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ମଧ୍ୟ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇ ସମ୍ବଲପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପରିଚାଳନା କରୁଥିବା ରିଲାଏନ୍ସ ଜେନେରାଲ କମ୍ପାନୀକୁ ଚାଷୀଙ୍କୁ ବୀମା ଟଙ୍କା ପୈଠ ପାଇଁ ନିର୍ଦ୍ଦେଶ ଦିଆଯିବାକୁ ଦାବି କରିଥିଲେ। ଏଣେ ଚାଷୀମାନେ ଗତ ଡିସେମ୍ବର ୧୦ ତାରିଖରୁ କୁଚିଣ୍ଡା ଉପଖଣ୍ଡରେ ପର୍ଯ୍ୟାୟକ୍ରମେ ଦୈନିକ ୨ ଟି ଲେଖାଏଁ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ତାଲା ପକାଇଥିଲେ।

ହେଲେ ଗତ ୭ ତାରିଖ ଦିନ ଜିଲ୍ଲାପାଳ ଶୁଭମ ସାକ୍ସେନାଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବୀମା କମ୍ପାନୀ ଓ ଚାଷୀ ସଂଗଠନର ତ୍ରିପାକ୍ଷିକ ବୈଠକରେ ଚାଷୀମାନେ ବୀମା ପ୍ରାପ୍ୟ ପାଇବା ଆଶା ସଞ୍ଚାର ହୋଇଥିଲା। ଚଳିତ ମାସ ୧୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ବୈଷୟିକ ରିପୋର୍ଟ ବୀମା କମ୍ପାନୀ ଗ୍ରହଣ କରିବା ପରେ ୨୪ ତାରିଖ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟରେ ବୀମା ଟଙ୍କା ପୈଠ କରିବ ବୋଲି ବେଠକରେ ସୂଚିତ କରାଯାଇଥିଲା। ହେଲେ ଗତକାଲି ସୁଦ୍ଧା ଜଣେ ହେଲେ ଚାଷୀଙ୍କ ଆକଉଣ୍ଟକୁ ବୀମା ପ୍ରାପ୍ୟ ପହଞ୍ôଚ ନ ଥିବାରୁ ଚାଷୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି।