କଟକ,ଏନ୍ଏନ୍ଏସ୍: କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ପୁନର୍ବିନ୍ୟାସ କାର୍ୟ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ଦର୍ଶାଯାଇଛି। ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଏବଂ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ଏହି ଟଙ୍କା ୨ଟି କିସ୍ତିରେ ଦିଆଯିବ । ଆରମ୍ଭରୁ ଗୋଟିଏ କିସ୍ତି ମିଳିବ ଓ ପରେ ଜମି ଖାଲି କରିବା ପରେ ୨ୟ କିସ୍ତି ମିଳିବ ବୋଲି ଘୋଷଣା କରାଯାଇଛି ।
ଏହି ଦୁଇ କିସ୍ତିରେ ପ୍ରତି ପରିବାରକୁ ୫୦ ହଜାର ଲେଖାଏଁ କରି ୧ ଲକ୍ଷ ଟଙ୍କା ସହାୟତା ମିଳିବ । ସେହିପରି ଅନଧିକୃତ ଦୋକାନ ଗୃହ ପାଇଁ ଏକକାଳୀନ ୩୦ ହଜାର ଟଙ୍କା । ଉଠା ଦୋକାନୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯିବ । ଅନ୍ୟପଟେ ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ ଲକ୍ଷ ଲେଖାଏଁ ସହାୟତା ଦିଆଯିବ । ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକାଥରକେ ୨୦ ହଜାର ଟଙ୍କା ।
ତେବେ ଖାଲି ବାହାର ଲୋକଙ୍କୁ ନୁହେଁ ସରକାରୀ କ୍ୱାର୍ଟର୍ସ ଖାଲି କରୁଥିବା କର୍ମଚାରୀଙ୍କୁ ମଧ୍ୟ ମିଳିବ ସହାୟତା । ନୂଆ କ୍ୱାର୍ଟର୍ସ ମିଳିବା ଯାଏଁ ସରକାରୀ କର୍ମଚାରୀଙ୍କ ଘର ଘଡା ସରକାର ବହନ କରିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯିବ । ତେବେ ଏହି ସହାୟତା ୧୨ ମାସ କିମ୍ବା ନୂଆ କ୍ୱାର୍ଟର୍ସ ମିଳିବା ଯାଏଁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୫ ହଜାର ଟଙ୍କାର ସହାୟତା ମିଳିବ । ୩ୟ ଶ୍ରେଣୀ କର୍ମଚାରୀଙ୍କୁ ୭ ହଜାର ୫୦୦ ଟଙ୍କା । ୨ୟ ଶ୍ରେଣୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଏବଂ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର ୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।