ବିଦ୍ୟାଳୟରୁ ମିଳିଲା ବାସନ ବେପାରୀଙ୍କ ମୃତଦେହ : ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ

ସମ୍ବଲପୁର,ଏନ୍ଏନ୍ଏସ୍ : ବିଦ୍ୟାଳୟରୁ ମିଳିଲା ବାସନ ବେପାରୀଙ୍କ ମୃତଦେହ । ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଚାଟୁଣୀ ପ୍ରାଥମିକ ସ୍କୁଲରୁ ଆଜି ସକାଳେ ଜଣେ ବାସନ ବେପାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ରାଜୁ ଜାନି ଏବଂ ତାଙ୍କ ଘର ଅନୁଗୋଳ ଜିଲ୍ଲା କନ୍ଧଳ ଗ୍ରାମରେ ବୋଲି ଜଣାପଡିଛି । ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।

ସୂଚନା ଅନୁଯାୟୀ, ବାସନ ବେପାରୀ ରାଜୁ ଗତକାଲି ସଂନ୍ଧ୍ୟାରେ ଚାରମାଳ ଥାନା ଅନ୍ତର୍ଗତ ଚାଟୁଣୀ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିଲେ । ଆଜି ସକାଳେ ତାଙ୍କ ମୃତଦେହ ବିଦ୍ୟାଳୟ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ଥାନାରେ ଏତଲା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତଦେହ ନିକଟରେ ସାଇକେଲ୍ ଓ ବାସନକୁସନ ପଡିଥିବାରୁ ରାଜୁ ଜଣେ ବାସନକୁସନ ବ୍ୟବସାୟୀ ବୋଲି ଜଣାପଡିଛି । ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ବିଭିନ୍ନ ଦିଗରୁ ମାମଲାର ଛାନଭିନ୍ ଚଳାଇଛି । ତେବେ ଏପର୍ୟ୍ୟନ୍ତ ଅଭିଯୁକ୍ତଙ୍କ ନିକଟରେ ପହଂଚି ପାରିନି ପୋଲିସ ।