ଲଗାଣ ବର୍ଷାରେ ଧସିଲା ସାମନବାଡ଼ି ପୋଲ ରାସ୍ତା

ଫୁଲବାଣୀ/ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: ସାରା ରାଜ୍ୟରେ ବନ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦାରିଙ୍ଗବାଡ଼ି ବ୍ଲକ୍‌ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗ୍ରାମ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି। ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିବା ବେଳେ ଲୋକେ ବିପଦ ସଂକୁଳ ଅବସ୍ଥାରେ ଅଟୋରେ ଯାତାୟାତ କରୁଛନ୍ତି। ପୋଲଟି ଧସି ଯିବାରୁ ଏହି ରାସ୍ତା ଦେଇ ଦାରିଙ୍ଗବାଡ଼ିରୁ ବୁଡ଼ାଗୁଡା ଦେଇ ବାଲିଗୁଡା ଯାତାୟାତ କରୁଥିବା ସମସ୍ତ ବସ୍‌ ଯାତାୟାତ କରିପାରୁନାହିଁ ଓ ଭୁବନେଶ୍ୱରରୁ ବୁଡ଼ାଗୁଡା ଯାଉଥିବା ବସ୍‌ ଗୁଡ଼ିକ ଅଧା ବାଟରେ ଅଟକି ରହିଛି। ଏହି ରାସ୍ତା ଉପରେ ଦାରିଙ୍ଗବାଡ଼ି ବ୍ଲକ୍‌ର ତିଲୋରୀ ସମେତ ବୁଡ଼ାଗୁଡା ଗୁମିକିଆ ସହିତ ପଡ଼ୋଶୀ କୋଟଗଡ ବ୍ଲକ୍‌ର ପକାରୀ ଓ ବାଲିଗୁଡା ବ୍ଲକ୍‌ର ଋତୁଙ୍ଗିଆ ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି।

ଗତକାଲି ଠାରୁ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷାରେ ଆଜି ପୋଲଟି ଧସି ଯାଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିବା ସହ ଏହି ପୋଲଟି ପାଖାପାଖି ୧୯୮୨ ମସିହାରେ ନିର୍ମାଣ ହୋଇଥିବା କହିଛନ୍ତି। କୌଣସି ସରକାରୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି। ଏନେଇ ପୁର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିଲା ଏବେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି। ତେଣୁ ସନ୍ଧ୍ୟା ସୁଦ୍ଧା ଧସି ଯାଇଥିବା ସ୍ଥାନଟିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହିତ ଉକ୍ତ ପୋଲ ଦେଇ ଯାତାୟାତ ସୁବିଧା କରିବାକୁ କାର୍ଯ୍ୟ ଆରମ୍ଭ କରାଯାଇଥିବା ପ୍ରକାଶ କରିଛନ୍ତି।

ଏଥିସହିତ ସେହି ସ୍ଥାନରେ ନୂତନ ପୋଲ ନିର୍ମାଣ କରାଯିବ ଓ ଏଥିପାଇଁ ଟେଣ୍ଡର ସରିଛି କେବଳ ଏଗ୍ରିମେଣ୍ଟ ବାକି ରହିଛି ବୋଲି ପୁର୍ତ୍ତ ବିଭାଗ ଏସ୍‌ଡିଓ ବ୍ରଜ କିଶୋର ମହାପାତ୍ର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ଯଦି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟ ନସରେ ଓ ରାତିସାରା ଯଦି ବର୍ଷା ଲାଗି ରହେ ତେବେ ପୋଲଟିର ସମ୍ପୂର୍ଣ୍ଣ ରାସ୍ତା ଧୋଇହୋଇଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।