ବଜ୍ରାଘାତରେ ଜଣେ ମୃତ, ୪ ଗୁରୁତର

କୁଆଁପାଳ,ଏନ୍‌ଏନ୍‌ଏସ୍‌: ବିଲରେ ଚାଷ କାର୍ଯ୍ୟ କରୁଥିଲା ବେଳେ ବଜ୍ରାଘାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇପଡ଼ିଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ନାହାଙ୍ଗ ପଞ୍ଚାୟତରେ। ସୂଚନା ମୂତାବକ ଏହି ପଞ୍ଚାୟତର ବାଲିପଡ଼ା ଗ୍ରାମର ଅଢ଼ଙ୍ଗ ମଠ ନିକଟରେ ବିଲରେ ଲୋକେ ଚାଷ କାର୍ଯ୍ୟ କରୁଥିଲେ। ହଠାତ୍ ଘଡଘଡି ସହ ମେଘ ଆସିବାରୁ ଲୋକେ ଆତଙ୍କିତ ହୋଇ ଘର ଅଭିମୁଖେ ଗତିକରୁଥିବା ବେଳେ ପ୍ରଚଣ୍ଡ ବେଗରେ ଏକ ଘଡଘଡି ପଡ଼ିଥିଲା।

ଯାହାଫଳରେ ଘଟଣା ସ୍ଥଳରେ ଟିକନ ଜେନାଙ୍କ ପୁତ୍ର ସୁରେଶ ଜେନା (୧୮)ଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ସେହି ଗ୍ରାମର ଗୋପାଳ ଜେନା, କପିଳ ଜେନା, ରବିନ୍ଦ୍ର ଜେନା ଓ ନରେଶ ଜେନାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ନରେଶ ଜେନା ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।