ସବ୍ୟସାଚୀ ମହାପାତ୍ରଙ୍କ ଆଉ ଏକ ମାଷ୍ଟର ପିସ୍ ଶଳାବୁଢାର ବଦଲା

ବଲାଙ୍ଗୀର,ଏନ୍ଏନ୍ଏସ୍ : ୧୩ ଟି ଭାରତୀୟ ଭାଷାରେ ଶ୍ରୀ ଜଗନ୍ନାଥ ନାମକ ଚଳଚ୍ଚିତ୍ର ନିର୍ମାଣ କରି ଏକ ଅନନ୍ୟା ରେକର୍ଡ କରିଥିବା ଓଡିଶାର ସିନେ ନିର୍ମାତା ଓ ନିର୍ଦ୍ଧେଶକ ସବ୍ୟସାଚୀ ମହାପାତ୍ର ଆଉ ଏକ ରେକର୍ଡ କରିଛନ୍ତି । ଓଡିଶାର ପ୍ରଥମ ବା ଭାରତର ଦ୍ୱିତୀୟ ଟ୍ରାଇଲୋଜି ସିନେମା ସେ ନିର୍ମାଣ କରିଛନ୍ତି । ଏହି ଟ୍ରାଇଲୋଜି ହେଉଛି ଶ୍ରୀ ମହାପାତ୍ରଙ୍କ ଆଉ ଏକ ମାଷ୍ଟର ପିସ୍ ଶଳାବୁଢାର ବଦଲା । ଆଜି ସିନେମାଟିର ପ୍ରିମିୟର ସୋ ବଲାଙ୍ଗୀରରେ ଥିବା ରୋୟଲ ସିନେମା ହଲରେ ପ୍ରଦର୍ଶିତ ହୋଇଥିଲା । ଏହାର କାହାଣୀ ଶ୍ରୀ ମହାପାତ୍ରଙ୍କ ସ୍ୱର୍ଗତ ବାପା କପିଳେଶ୍ୱର ମହାପାତ୍ର ଲେଖିଥିବା ବେଳେ ନିର୍ଦ୍ଧେଶନା ଦେଇଛନ୍ତି ନିଜେ ସବ୍ୟସାଚୀ । ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅଟଳ ବିହାରୀ ପଣ୍ଡା । ପଶ୍ଚିମ ଓଡିଶାର ଜନଜୀବନକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିବା ବେଳେ ଏହି ଅଂଚଳର ଲୋକ ସଙ୍ଗୀତର ସୁନ୍ଦର ବ୍ୟବହାର କରାଯାଇଛି ସିନେମାରେ ।

ଅଭିଜ୍ଞ ଓ ନୂତନ କଳାକାରମାନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ପ୍ରିମିୟାର ସୋ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଏହାକୁ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟ ସାଧକ ବିଦ୍ୟା ବାଚସ୍ପତି ଡ.ଶ୍ରୀନିବାସ ଉଦଗାତା ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ କଳାକାରମାନଙ୍କ ଉପସ୍ଥିତିରେ ସିନେମା ପ୍ରଦର୍ଶିତ ହୋଇଥିବା ବେଳେ ନିମନ୍ତ୍ରିତ ଅତିଥିମାନଙ୍କୁ ମଧ୍ୟ ଡକା ଯାଇଥିଲା । ଏକ ଘଂଟା ୫୦ ମିନିଟ ଧରି ଦର୍ଶକମାନେ ସିନେମାକୁ ଉପଭୋଗ କରିଥିଲେ । ଏହି ସିନେମା ଆଉ ଏକ ମାଇଲଖୁଂଟଣ୍ଟ ପାଲଟିବ ବୋଲି ଦର୍ଶକମାନେ କହିଥିଲେ ।
ସୂଚନାଯୋଗ୍ୟ ଯେ , ଶଳାବୁଢାର ସିରିଜର ପ୍ରଥମ ଚଳଚ୍ଚିତ୍ର ଶଳାବୁଢା ଓ ଆଦିମ ବିଚାର ବଲାଙ୍ଗୀରରେ ରିଲିଜ ହୋଇନଥିବା ବେଳେ ଏହି ସିରିଜର ତୃତୀୟ ଚଳଚ୍ଚିତ୍ର ଶଳାବୁଢାର ବଦଲା ବଲାଙ୍ଗୀରରେ ରିଲିଜ ହୋଇଥିବାରୁ ସିନେମା ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।