ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଡୁଡାମେଟା ପଂଚାୟତ ଅନ୍ତର୍ଗତ ବାଳକାଟି ଗ୍ରାମରେ ଗ୍ରୀଷ୍ମ ଋତୁ ପୂର୍ବରୁ ପାନୀୟଜଳ ସମସ୍ୟା ଦେଖା ଦେଇଛି। ରାଜ୍ୟ ସରକାର ସହର ଏବଂ ଗ୍ରାମାଂଚଳର ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଗ୍ରୀଷ୍ମଋତୁ ପୂର୍ବରୁ ଜଳସଂକଟ ଏହି ଗ୍ରାମବାସୀମାନଙ୍କୁ ହନ୍ତସନ୍ତ କରିଛି।
ସୂଚନା ଅନୁଯାୟୀ, ବାଳକାଟି ଗ୍ରାମରେ ମୋଟ ୭୦ଟି ପରିବାର ବସବାସ କରନ୍ତି। ଏହି ପରିବରରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ ଲୋକ ଥିବାବେଳେ ଏମାନଙ୍କ ପାଇଁ ଗୋଟିଏ ନଳକୂପ ରହିଛି। ଏଣୁ ଏହି ଗ୍ରାମରେ ପାନୀୟଜଳ ପାଇଁ ମହିଳାଙ୍କୁ ଭୋରୁ ଏହି ନଳକୂପ ନିକଟରେ ଲମ୍ବା ଧାଡି କରି ଠିଆ ହେବାକୁ ପଡ଼ୁଛି। ଘଂଟା ଘଂଟା ଧରି ଅପେକ୍ଷା କରିବା ପରେ ମାତ୍ର ଗୋଟିଏ ହାଣ୍ଡି ଜଳ ମିଳୁଛି। ଶୀତ ଋତୁରେ ଏଭଳି ଅବସ୍ଥା ଲାଗିରହିଥିବା ବେଳେ ଗ୍ରୀଷ୍ମ ଋତୁରେ ଜଳ ମିଳିବା କଷ୍ଟକର ହେଉଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି।
ଆଉ ଗୋଟିଏ ମାତ୍ର ନଳକୂପ ଅଚଳ ହେଲେ ଜଳ ପାଇଁ ଡହଳବିକଳ ହେଉଥିବା ଗ୍ରାମର ମହିଳା ଦେବେ ପଡ଼ିଆମି, ଜମୁନା ମାଡକାମି ଅଭିଯୋଗ କରିଛନ୍ତି। ପୂର୍ବରୁ ସ୍ଥାନୀୟ ଲୋକ ଏ ସମ୍ବନ୍ଧରେ ବହୁବାର ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳ ମିଳୁନାହିଁ ବୋଲି ସରପଂଚ ଇଶ୍ୱରୀ ମାଡକାମିଙ୍କ ସହ ମୁକୁନ୍ଦ ମାଡକାମି, ମଙ୍ଗଳା ମାଡକାମି, ଗଙ୍ଗା ମାଡକାମି ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାଣି ସମସ୍ୟା ଦୂର କରିବା ପାଇଁ ସେମାନେ ଦାବୀ କରିଛନ୍ତି। ତେବେ ଗ୍ରାମବାସୀଙ୍କ ପାଇଁ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ତା କରାଯିବା ସହ ମାସକ ମଧ୍ୟରେ ନଳକୂପ ଖନନ କରାଯିବ ବୋଲି କୋରୁକୋଣ୍ଡା ବ୍ଲକ ବି.ଡି.ଓ ଦାଶରଥି ସୋରାବୁ ପ୍ରକାଶ କରିଛନ୍ତି।