ପୁଲିସ ମାଓବାଦୀ ଗୁଳି ବିନିମୟ ଘଟଣା : ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର ସ୍ୱାଭିମାନ ଅଂଚଳ ଓ ମୁଦୁଲିପଡ଼ା ଅଂଚଳ ଲୋକଙ୍କୁ ସର୍ବଦା ପୁଲିସ ସୁରକ୍ଷା ଯୋଗାଇ ଦେବ :ଡି.ଆଇ.ଜି ଜିଲ୍ଲା By Nitidin On Jan 17, 2020 Share ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ଗୋଇଗୁଡ଼ା ଓ ଉତମଗୁଡ଼ା ଜଙ୍ଗଲରେ ଗତ ୧୫ ତାରଖ ଗୁଳି ବିନିମୟ ଘଟଣାରେ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ଦକ୍ଷିଣ ପଶ୍ଚିମାଂଚଳ ଡି.ଆଇ.ଜି ସଫିନ ଅହମ୍ମଦ କେ ପ୍ରକାଶ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ପ୍ରାୟ ୧୫ ରୁ ୨୦ ଜଣ ମାଓବାଦୀ ଥିବା ଖବର ପାଇ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀଙ୍କ ନେତୃତ୍ୱରେ ଏସ.ଓ.ଜି, ବି.ଏସ.ଏଫ ଓ ଡି.ଭି.ଏଫ ବାହିନୀକୁ ନେଇ ଏକ କୁମ୍ବିଂ ଅପରେସନ କରାଯାଇଥିଲା। ସଂପୃକ୍ତ ଅଂଚଳ ତଲାସୀ ବେଳେ ମାଓବାଦୀମାନେ ପୁଲିସ ଉପରେ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର ପ୍ରତିଜବାବରେ ସୁରକ୍ଷାର୍ମିମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ପରେ ମାଓବାଦୀମାନେ ଜଙ୍ଗଲ ଓ ଅନ୍ଧାରର ସୁଯୋଗ ନେଇ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଗୁଳିବିନିମୟ ପରେ ତଲାସୀ ବେଳେ ଘଟଣାସ୍ଥଳରୁ ଛୋଟ ମାଓ କିଟ ବ୍ୟାଗ ୧୮ଟି, ବଡ଼ କିଟ ବ୍ୟାଗ ୬ ଟି,ଡେଟୋନେଟର ୧୦ ଟି, ଇଲେକଟ୍ରିକ ତାର ଗୋଟିଏ ବଣ୍ଡଲ, ରେଡିଓ ଗୋଟିଏ, ମାଓ ପୋଷାକ ୩ ହଳ, ମାଓ ପୁସ୍ତିକା, କମ୍ବଳ ୧୧ ଟି,ସାଲ ୫ ଟି , ସାମସୁଙ୍ଗ ଟାବ ୨ଟି, ଔଷଧପତ୍ର,ବ୍ୟାନର ଗୋଟିଏ, ଟିଫିନ ବାକ୍ସ ୭ଟି, ଚପଲ,ପାଣି ଜାର,ପନିପରିବା,ପଲିଥିନ , ରାତ୍ରି ଲ୍ୟାମ୍ପ,ପ୍ଲାସ, ମଶାରୀ,ଟର୍ଚ୍ଚ ଲାଇଟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ମୋଟ ୪୧ ପ୍ରକାରର ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ଡି.ଆର.ଜି ଶ୍ରୀ ଅହମ୍ମଦ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ମୁଦୁଲିପଡ଼ା ଥାନାରେ ୧୫ ରୁ ୨୦ ଜଣ ଅଜଣା ସଶସ୍ତ୍ର ମାଓବାଦୀଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଥିବା ପ୍ରକାଶ କରିଛନ୍ତି। ମାଓବାଦୀମାନେ ଅଂଚଳର ବିକାଶକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ଲୋକ ମଧ୍ୟ ଆଉ ସେମାନଙ୍କୁ ସହଯୋଗ କରୁନାହାନ୍ତି। ପୋଲିସ ସର୍ବଦା ଅଂଚଳବାସୀଙ୍କୁ ସୁରକ୍ଷା ଯୋଗାଇଦେବ ବୋଲି ଡି.ଆଇ.ଜି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି। ସ୍ୱାଭିମାନ ଅଂଚଳର ବିକାଶ ପାଇଁ ଜିଲ୍ଲା ପୋଲିସର ସହଯୋଗ ନିହାତି ଆବଶ୍ୟକ। ଆମେ ଚାହୁୁଁଛୁ ସେହି ଅଂଚଳର ବିକାଶ ହେଉ। ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସ୍ୱାଭିମାନ ଅଂଚଳରେ ପ୍ରୟାସ ଆରମ୍ଭ ହୋଇଛି। କୁନ୍ତୁରପଦର କ୍ୟାମ୍ପ ହେବା ପରେ ସ୍ୱାଭିମାନ ଅଂଚଳର ବିକାଶ ଆଗକୁ ବଢ଼ୁଛି ବୋଲି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଏସ.ପି ରିଷିକେଶ ଡି ଖିଲାରୀ, ଏସ.ଡି.ପି.ଓ ପ୍ରହଲ୍ଲାଦ ସହାଇ ମୀନାଙ୍କ ସମେତ ବି.ଏସ.ଏଫର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। Share