ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ

ସଇଁନ୍ତଳା,ଏନ୍ଏନ୍ଏସ୍: ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ଆଜି ଘୋଡାର ଏବଂ ଅମ୍ୱୁର୍ଲା ଗାଁରେ ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଘୋଡାର ଗାଁରେ ଯଥାକ୍ରମେ ଉଠା ଜଳସେଚନ ପ୍ରକଳ୍ପ ୧, ୨ ଏବଂ ୩ର ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ଏକ ନମ୍ବର ଉଠା ଜଳସେଚନ ପ୍ରକଳ୍ପ ପାଇଁ ୨୯ ଲକ୍ଷ ୮୦ ହଜାର ୮ଶହ ଟଙ୍କା ଅଟକଳ ବ୍ୟୟବରାଦ ରଖା ଯାଇଥିବାବେଳେ ଦୁଇ ନମ୍ବର ଏବଂ ତିନି ନମ୍ବର ପ୍ରକଳ୍ପ ପାଇଁ ୩୦ ଲକ୍ଷ ୭୫ ହଜାର ୩ ଶହ ଟଙ୍କା ଏବଂ ୩୦ ଲକ୍ଷ ୬ ଶହ ଟଙ୍କା ଅଟକଳ ରଖାଯାଇଛି । ଏହି ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ରବି ଚାଷ ଏବଂ ଖରିଫ ଚାଷ ପାଇଁ ତିନିଶହ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ସମୟରେ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର ଗାନ ଏବଂ ଟିଟିଲାଗଡ଼ ଲିଫ୍ଟ ଇରିଗେସନ ଅଧିକାରୀ ଏସଡିଓ. ଅମୃତ କୁମାର ବାଗ ଉପସ୍ଥିତ ରହିଥିଲେ। ପରେ ଅମ୍ୱୁର୍ଲା ଗାଁରେ ଏକ ନୂତନ ଅଙ୍ଗନୱାଡି କୋଠାକୁ ମନ୍ତ୍ରୀ ଉଦଘାଟନ କରିଥିଲେ।