ପାରାଦ୍ବୀପ,ଏନ୍ଏନ୍ଏସ୍: ପାରାଦ୍ବୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ସମରାଭ୍ୟାସର ନାମ ସାଗରକବଚ ଓଡିଶା-ୱେଷ୍ଟବେଙ୍ଗଲ ରଖାଯାଇଛି। କୋଷ୍ଟର୍ଗାଡ, ନୌସେନା, ପାରାଦ୍ବୀପ ପୋର୍ଟ, ବନବିଭାଗ, ମତ୍ସ୍ୟବିଭାଗ, ଓଡିଶା ପୁଲିସ, ରେଲୱେ ସମେତ ୯ରୁ ଊର୍ଦ୍ଧ୍ୱ ବିଭାଗକୁ ନେଇ ଚାଲିଛି ସମରାଭ୍ୟାସ। ସବୁ ବିଭାଗ ମଧ୍ୟରେ ସମନ୍ୱୟ ସହିତ ବାହ୍ୟ ଶତୃଙ୍କୁ ମୁକାବିଲା କରିବା ପାଇଁ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତ୍ୟେକ ବର୍ଷ ଉପକୂଳରେ ଏଭଳି ସମରାଭ୍ୟାସ କରାଯାଉଛି। ଚଳିତ ବର୍ଷ ଏହି ସମରାଭ୍ୟାସରେ ଜଣେ ଏଏସପି, ୪ ପ୍ଲାଟୁନ ପୁଲିସ ଫୋର୍ସ, ୫ ଜଣ ସବ ଇନସ୍ପେକ୍ଟର, ୫ ଏସଆଇ, ୪ ଜଣ ଆଇଆଇସି, ୨୦ କନଷ୍ଟେବଳ ଓ ୨୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି। ଦୁଇଟି ଟିମ୍ ରେଡ୍ ଓ ବ୍ଲୁ ଗଠନ କରାଯାଇ ଗୋଟିଏ ଟିମ୍ ଛଦ୍ମ ବେଶରେ ଉପକୂଳରେ ପ୍ରବେଶ ପାଇଁ ଚେଷ୍ଟା କରିବେ ଓ ବ୍ଲୁ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ। ଦୁଇଦିନ ଧରି ଚାଲିବ ଏହି ସମରାଭ୍ୟାସ।