ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା କୃଷକ ସଙ୍ଘ ପକ୍ଷରୁ ଆଜି ୫ ଦଫା ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଆଜି ପୂର୍ବାହ୍ନରେ ସଙ୍ଘର ସଭାପତି ପ୍ରମୋଦ ଝାଙ୍କରଙ୍କ ନେତୃତ୍ୱରେ ସମ୍ପାଦକ ଯଯାତି ବିଶ୍ୱାଳ, ଉପସଭାପତି ବିଜୟ କୁମାର ପ୍ରଧାନ, ତିଳେଇବଣି ବ୍ଲକ ଉପ ସଭାପତି ଭୂପେନ୍ଦ୍ର ପ୍ରସାଦ ନାୟକ, କଂଗ୍ରେସ କୃଷକ ସେଲ ସଭାପତି ସନ୍ତୋଷ କୁମାର ସାହୁଙ୍କ ସମେତ ଶତାଧିକ ଚାଷୀ ପୁରୁଣାଗଡ଼ ଠାରେ ଥିବା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ୪୯ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଏକ ଘଣ୍ଟା ଧରି ବହୁ ସଂଖ୍ୟକ ଯାନ ବାହନ ଅଟକି ରହିଥିଲା। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦେବଗଡ଼ ଥାନା ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା।