ଭାରତକୁ ରୁଷିଆର ଏସ୍‌-୪୦୦ ମିସାଇଲ୍ ଯୋଗାଣ ଆରମ୍ଭ

ମସ୍କୋ,ଏଜେନ୍ସି: ଆମେରିକାର କଟକଣା ମଧ୍ୟରେ ଭାରତକୁ ଏସ୍‌-୪୦୦ ଏୟାର୍ ଡିଫେନ୍ସ ମିସାଇଲ ସିଷ୍ଟମ୍ ଯୋଗାଣ ଆରମ୍ଭ କରିଛି ରୁଷିଆ। ରବିବାର ରୁଷୀୟ ମିଲିଟ୍ରି କୋଅପରେସନ୍ ଏଜେନ୍ସି ମୁଖ୍ୟ ଦିମିତ୍ରି ଶୁଗାୟେଭ୍‌ଙ୍କ ସୂତ୍ରରୁ ରୁଷୀୟ ନ୍ୟୁଜ୍ ଏଜେନ୍ସି ଏହି ରିପୋର୍ଟ ପ୍ରକାଶ କରିଛି। ଏସ୍‌-୪୦୦ ଏୟାର୍ ଡିଫେନ୍ସ ମିସାଇଲ୍ ସିଷ୍ଟମ ସମୁଦ୍ର ଏବଂ ଆକାଶ ମାର୍ଗରେ ଭାରତ ପଠାଯାଉଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ଏହି ମିସାଇଲ୍ ସିଷ୍ଟମ୍‌ର ପାର୍ଟ୍ସ ଭାରତରେ ପହଞ୍ଚିବା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ସୂତ୍ରରୁ କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ପ୍ରଥମ ସ୍କ୍ୱାଡ୍ରନ୍‌ର ଡେଲିଭରୀ ପୂରା ହେବାର ସମ୍ଭାବନା ରହିଛି। ଏସ୍‌-୪୦୦ର ପ୍ରଥମ ୟୁନିଟ୍‌କୁ ଭାରତ-ପାକିସ୍ତାନ ସୀମାରେ ମୁତୟନ କରାଯିବ।

ପ୍ରଥମ ସ୍କ୍ୱାଡ୍ରନ୍‌ର ମୁତୟନ ପରେ ଭାରତୀୟ ବାୟୁସେନା ଦେଶରେ ଭିତରେ ନିଜ ଅଧିକାରୀଙ୍କ ଟ୍ରେନିଂ ପାଇଁ ସଂସାଧନ ଉପଲବ୍ଧ କରାଇବ। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ଏହି ମିସାଇଲ୍ ସିଷ୍ଟମ୍ ମିଳିବା ପରେ ଭାରତର ମାରକ କ୍ଷମତା ଆହୁରି ଶକ୍ତିଶାଳୀ ହୋଇଯିବ। ୫.୪୩ ବିଲିୟନ୍ ଡଲାର (ପ୍ରାୟ ୪୦ ହଜାର କୋଟି ଟଙ୍କା)ରେ ପାଞ୍ଚଟି ଏସ୍‌-୪୦୦ ମିସାଇଲ୍ ସିଷ୍ଟମ୍ କିଣିବା ପାଇଁ ୨୦୧୮ରେ ଭାରତ ଓ ରୁଷିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ସ୍ୱାକ୍ଷରିତ ପରେ ଆମେରିକା ଭାରତ ଉପରେ ଆର୍ଥିକ କଟକଣା ଜାରି କରିଥିଲା।

ଏସ୍‌-୪୦୦ ସୁପରସୋନିକ୍ ଏୟାର ଡିଫେନ୍ସ ସିଷ୍ଟମରେ ସୁପରସୋନିକ୍ ଓ ହାଇପରସୋନିକ୍ ମିସାଇଲ୍ ରହିଛି, ଯାହା ଲକ୍ଷ୍ୟ ଭେଦ କରିବାରେ ମାହିର। ଏସ୍‌-୪୦୦ର ଗଣତି ବିଶ୍ୱର ଆଧୁନିକତମ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ୍ ମଧ୍ୟରେ ହୋଇଥାଏ। ଏହି ସୁପରସୋନିକ୍ ଏୟାର୍ ଡିଫେନ୍ସ ସିଷ୍ଟମ ୪୦୦ କିଲୋମିଟର ଅଞ୍ଚଳ ମଧ୍ୟରେ ଶତ୍ରୁପକ୍ଷରୁ ଯୁଦ୍ଧ ବିମାନ, ମିସାଇଲ୍‌, ଡ୍ରୋନ୍ କିମ୍ବା ଲୁକ୍କାୟିତ ଭାବେ ଥିବା ବିମାନକୁ ଆକ୍ରମଣ କରି ଧ୍ୱସ୍ତ କରି ଦେଇଥାଏ।

ସେହିପରି ସହଜରେ ଧରାପଡ଼ୁନଥିବା ଯୁଦ୍ଧ ବିମାନକୁ ମଧ୍ୟ ଏହା ସହାୟତାରେ ଧ୍ୱସ୍ତ କରାଯାଇପାରିବ। ଏସ୍‌-୪୦୦ ଲଞ୍ଚର୍‌ରୁ ଶତ୍ରୁପକ୍ଷର ବିମାନ ଓ ମିସାଇଲ୍ ଉପରେ ତିନି ସେକେଣ୍ଡ୍‌ରେ ଦୁଇଟି ମିସାଇଲ୍ ନିକ୍ଷେପ କରାଯାଇପାରିବ। ଏଥିରୁ ନିକ୍ଷେପ ମିସାଇଲ୍ ପ୍ରତି ସେକେଣ୍ଡ୍ ୫ କିଲୋମିଟର ଗତିରେ ୨୫ କିମି ଉଚ୍ଚରେ ଥିବା ଲକ୍ଷ୍ୟକୁ ଭେଦ କରିଥାଏ। ଏହି ମିସାଇଲ୍ ସିଷ୍ଟମ ଆସିବା ପରେ ଭାରତର ଉତ୍ତର, ଉତ୍ତର-ପୂର୍ବ ଏବଂ ପଶ୍ଚିମ ସୀମାକୁ ଜବରଦସ୍ତ ସୁରକ୍ଷା ମିଳିବ।