ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୫ ଗୁଣ ବଢ଼ିଛି; ଖୋର୍ଦ୍ଧାରେ ସର୍ବାଧିକ ରୋଗୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶାରେ କୋଭିଡ୍ ଆତଙ୍କ ଦୂର ହୋଇନଥିବାବେଳେ ଏବ ପୁଣି ଡେଙ୍ଗୁ ଡର ବଢ଼ିଲାଣି। ରାଜ୍ୟରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଭୟାନକ ଭାବେ ବୃଦ୍ଧି ଘଟିବାରେ ଲାଗିଛି। ଗତ ବର୍ଷ ରାଜ୍ୟରେ ମାତ୍ର ୪୯୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ଚଳିତ ବର୍ଷ ନଭେମ୍ବର ୧୩ ତାରିଖ ସୁଦ୍ଧା ରାଜ୍ୟରେ ୭ହଜାର ୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷର ୧୧ ମାସ ଭିତରେ ପୂର୍ବ ବର୍ଷ ଅପେକ୍ଷା ୧୫ ଗୁଣା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଫଳରେ ରାଜ୍ୟ ସରକାର ଚଳିତ ବର୍ଷ ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି। ଡେଙ୍ଗୁ ମଶା ନିପାତ କରିବାରେ ରାଜ୍ୟ ସରକାର ସଫଳତା ଅର୍ଜନ କରିପାରିନାହାନ୍ତି। ସେଥିପାଇଁ ରାଜ୍ୟରେ ଏବେ ଡେଙ୍ଗୁ ମଶା ଲୁଚକାଳି ଖେଳିଲା ଭଳି ଜଣାପଡ଼ିଛି।

ରାଜ୍ୟରେ ଗତ ୨୦୧୫ ମସିହାରେ ୨ହଜାର ୪୫୦ ଡେଙ୍ଗୁ ଚିହ୍ନଟ ହୋଇଥିଲେ। ହେଲେ ୨୦୧୬ ମସିହାରେ ଭୟାନକ ଭାବେ ଏହି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲା। ସେହି ବର୍ଷ ରାଜ୍ୟରେ ୮ହଜାର ୩୮୦ ଡେଙ୍ଗୁ ରୋଗରେ ପୀଡ଼ିତ ହୋଇଥିଲାବେଳେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହାଫଳରେ ରାଜ୍ୟରେ ଡେଙ୍ଗୁ ନେଇ ଆତଙ୍କ ବଢ଼ିଥିଲା। ସେହିପରି ୨୦୧୭ ମସିହାରେ ଡେଙ୍ଗୁ କିଛିଟା ନିୟନ୍ତ୍ରଣକୁ ଆସିଥିଲା। ସେହି ବର୍ଷ ୪ହଜାର ୧୫୮ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ୨୦୧୮ ମସିହାରେ ପୁଣି ଡେଙ୍ଗୁଙ୍କ ସଂଖ୍ୟା ବୃଦ୍ଧି ପାଇଁ ୫ ହଜାର ୧୯୮ରେ ପହଞ୍ଚିଥିଲା। ଏହାପରେ ୨୦୧୯ ମସିହାରେ ୩ ହଜାର ୭୫୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲାବେଳେ ୨୦୨୦ରେ ମାତ୍ର ୪୯୭ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୦ରେ ଡେଙ୍ଗୁ ନିୟନ୍ତ୍ରଣ ଭିତରେ ରହିଥିଲା। କିନ୍ତୁ ହଠାତ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି।

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଶନିବାର ସୁଦ୍ଧା ଖୋର୍ଦ୍ଧାରେ ସର୍ବାଧିକ ୩,୭୨୯ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲାବେଳେ କଟକ ୩୨୧ ଅଛନ୍ତି। ଏହାବ୍ୟତୀତ ପୁରୀ ୩୯୭, ରାୟଗଡ଼ା ୨୫୮, ମାଲକାନଗିରି ୨୮୩, କୋରାପୁଟ ୧୦୮, ଜଗତସିଂହପୁର ୨୯୧, ଯାଜପୁର ୧୭୧, ଗଞ୍ଜାମ ୨୧୧ ଓ ଗଜପତିରେ ୧୨୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର ଡେଙ୍ଗୁ ନିରାକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣକୁ ଆସୁନାହିଁ। ଏପଟେ ଜନସାଧାରଣ ମଧ୍ୟ ଡେଙ୍ଗୁ ପ୍ରତି ସଚେତନତା ଅଭାବରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଡେଙ୍ଗୁର ସମସ୍ତ ରେକର୍ଡ ଭଙ୍ଗ ହୋଇଛି। ଜନସାଧାରଣ ଓ ରାଜ୍ୟ ସରକାର କୋଭିଡ୍ ବିରୋଧରେ ଲଢ଼େଇ ଜାରିରଖିଥିଲାବେଳେ ଡେଙ୍ଗୁ ମଶା ବଂଶବିସ୍ତାର କରିବାରେ ଲାଗିଛନ୍ତି। ଫଳରେ ରାଜ୍ୟରେ ଆଜି ଡେଙ୍ଗୁ ସ୍ଥିତି ସାଙ୍ଘାତିକ ଅବସ୍ଥାକୁ ପହଞ୍ଚିଲାଣି। ଏପରି ସମୟରେ ଜନସାଧାରଣ ଡେଙ୍ଗୁ ମଶା ପ୍ରତି ଅଧିକ ସତର୍କ ରହିବାର ଆବଶ୍ୟକତା ବଢ଼ିଯାଇଛି।