ପ୍ରଶାନ୍ତ ପଟ୍ଟନାୟକ ପାଇବେ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ’, ୨୮ ସାମ୍ବାଦିକଙ୍କୁ ମିଳିବ ପେନ୍‌ସନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ’ ମିଳିବ। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ-୨୦୨୧ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ରାଜ୍ୟର ୨୮ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍‌ସନ୍ ପ୍ରଦାନ କରାଯିବା ସହିତ ୬ ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ। ଶନିବାର କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆସନ୍ତା ୧୬ ତାରିଖ ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନ୍‌ଫରମେସନ ବ୍ୟୁରୋ (ପିଆଇବି), ରିଜିଓନାଲ ଆଉଟ୍‌ରିଚ୍ ବ୍ୟୁରୋ (ଆରଓବି) ଏବଂ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌ଫରମେସନ ଟେକ୍ନୋଲୋଜି (ଅମିତ୍‌)ର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯିବ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୧’ ପ୍ରଦାନ କରାଯିବା ସହିତ ଅନ୍ୟ ରାଜ୍ୟର ବିଭିନ୍ନ ସମ୍ବାଦପତ୍ରର ୫ଜଣ ସମ୍ପାଦକଙ୍କୁ ଜାତୀୟସ୍ତରରେ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯିବ।

ସେହିପରି ରାଜ୍ୟର ୨୮ଜଣ ବରିଷ୍ଠ ସାମ୍ବାଦିକ ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଦୋଷ ପଟ୍ଟନାୟକ, ପଦ୍ମନାଭ ଜେନା, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ବସନ୍ତ କୁମାର ଦାଶ, ଅରୁଣ କୁମାର ପଣ୍ଡା, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅର୍ଜୁନ ରଞ୍ଜନ ପଣ୍ଡା, ଗଜେନ୍ଦ୍ର କୁମାର ମହାନ୍ତି, ସେକ୍ ଅବଦୁଲ ମନାନ୍‌, ସୁରେନ୍ଦ୍ର ସାହୁ, ଭାଗବତ ତ୍ରିପାଠୀ, ଶ୍ରୀରାମ ଦାଶ, ସୁଦାମ ଚରଣ ନାୟକ, ହଳଧର ଧୀର, ଅଜିତ୍ କୁମାର ମହାନ୍ତି, ଅକ୍ଷୟ କୁମାର ପତି, ସୁବାସ ପାଣିଗ୍ରାହୀ, ସୁଜ୍ଞାନ ଚୌଧୁରୀ, ଗୁରୁକଲ୍ୟାଣ ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ତ୍ରିଲୋଚନ ମହାପାତ୍ର, ଗୌରାଙ୍ଗ ଚରଣ ହୋତା, ଶରତ ଚନ୍ଦ୍ର ଦାଶ ଓ ରବି ରଥଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍‌ସନ ପ୍ରଦାନ କରାଯିବା ପାଇଁ ବୋର୍ଡ ସ୍ଥିର କରିଛି।