ବିଦେଶ ଫେରାନ୍ତାଙ୍କ ପାଇଁ କଡାକଡି ହେଲା ନିୟମ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କାୟା ମେଲାଇଲାଣି ଓମିକ୍ରନ। ଦିନକୁ ଦିନ ବଢିଚାଲିଛି ସଂକ୍ରମଣ। ଯାହାକୁ ଦୃଷ୍ଟିରେ ରଖି ବିଦେଶ ଫେରନ୍ତାଙ୍କ ପାଇଁ ନିୟମ କଡାକଡି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଗୁଆ ଆରଟିପିସିଆର ଟେଷ୍ଟ ବୁକିଂ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୨୦ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୨୦ ତାରିଖରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଆଦି ୬ଟି ବିମାନ ବନ୍ଦରରେ ରିସ୍କ ଦେଶରୁ ଆସୁଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟର ପ୍ରି-ବୁକିଂ କରିବା ଜରୁରୀ। ରିସ୍କ ଅର୍ଥାତ୍ ଅଧିକ ସଂକ୍ରମଣ ବିଶିଷ୍ଟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀ ସେହି ଦେଶରେ ୧୪ ଦିନରୁ ଅଧିକ ସମୟ ରହି ଫେରୁଥିଲେ ଏହି ପ୍ରି ବୁକିଂ ବାଧ୍ୟତାମୂଳକ। ଏଥିପାଇଁ ଏୟାରପୋର୍ଟ ୱେବସାଇଟରେ ସୁବିଧା ଉପଲବ୍ଧ କରାଯିବ।

ସେହିପରି ଦେଶରେ ଓମିକ୍ରନ ଭୟାବହତା ମଧ୍ୟରେ ଆସନ୍ତା ଜାନୁୟାରୀ ୩୧ ତାରିଖରୁ ଭାରତରୁ ବାଣିଜ୍ୟିକ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ମଧ୍ୟ ଡିଜିସିଏ ଘୋଷଣା କରିଛି।