ମହାରାଷ୍ଟରେ ୮ ନୂଆ ସଂକ୍ରମିତ, ଦେଶରେ ୫୭କୁ ବଢିଲା ମୋଟ ମାମଲା

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ କାୟା ମେଲାଉଛି ଓମିକ୍ରନ। ମଙ୍ଗଳବାର ଗୋଟିଏ ଦିନରେ ରାଜ୍ୟରୁ ୮ଟି ନୂଆ ମାମଲା ଚିହ୍ନଟ ହୋଇଛି। ଚିନ୍ତାର ବିଷୟ ହେଉଛି କି, ଅଧିକାଂଶ ଓମିକ୍ରନ ସଂକ୍ରମିତ ମୁମ୍ବାଇରୁ ଠାବ ହୋଇଛନ୍ତି। ୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ମାୟାନଗରୀର ଅଟନ୍ତି। ପୁଣି ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

କୋରୋନାର ଏହି ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ବିମାନବନ୍ଦରରେ ନିୟମକୁ କଡାକଡି କରିଛନ୍ତି। ଅଧିକ ଆଶଙ୍କା ସମ୍ପନ୍ନ ରାଷ୍ଟ୍ରରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ ରହିବା ଲାଗି ପରାମର୍ଶ ଦିଆଯାଇଛି। ସେପଟେ ଦିନକୁ ଦିନ ମହାରାଷ୍ଟ୍ରର ସ୍ଥିତି ବିଗୁଡୁଥିବାର ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁମ୍ବାଇରେ କରିବାକୁ ଥିବା କଂଗ୍ରେସ ରାଲି ରଦ୍ଦ କରିଛନ୍ତି।

ବର୍ତ୍ତମାନ ମହାରାଷ୍ଟ୍ର ସମେତ ଗୁଜୁରାଟ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଦିଲ୍ଲୀ ଭଳି ଦେଶର ପ୍ରମୁଖ ରାଜ୍ୟରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୮ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନ, ଦିଲ୍ଲୀରେ ୪ଟି ଲେଖାଏଁ ଓ ଗୁଜୁରାଟରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି।

ଏଯାବତ୍ ମହାରାଷ୍ଟ୍ରରୁ ୨୮, ରାଜସ୍ଥାନରୁ ୧୩, କର୍ଣ୍ଣାଟକରୁ ୩, ଗୁଜୁରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରେ ୧, ଦିଲ୍ଲୀରେ ୬ ଏବଂ ଚଣ୍ଡିଗଡରେ ଗୋଟିଏ ଓମିକ୍ରନ ମାମଲା ଚିହ୍ନଟ ହୋଇଛି। ପ୍ରଥମେ କର୍ଣ୍ଣାଟକରେ ହିଁ ଦେଶର ପ୍ରଥମ ଓମିକ୍ରନ ମାମଲା ଠାବ ହୋଇଥିଲା।