ଫୁଲବାଣୀ, ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅଧ୍ୟକ୍ଷା ଭାବେ ରୁଦା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାରିଙ୍ଗବାଡ଼ି ବିଡିଓ ଡ. ଜଗଦିଶ ଷଡ଼ଙ୍ଗୀ ଦାୟିତ୍ୱ ପ୍ରଦାନ କରିଥିଲେ। ରୁଦା ମଲ୍ଲିକ୍ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ବ୍ଲକ୍ର ଉନ୍ନତି କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଦାରିଙ୍ଗବାଡ଼ିରେ ରହିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ଥାଘାଟ, ପାନୀୟଜଳ ଭଳି ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବା ସହ ନୂତନ ଚିନ୍ତାଧାରାରେ ବ୍ଲକ୍ର ଉନ୍ନତି କରାଯିବା ନେଇ ମତ ପ୍ରକାଶ କରିଥିଲେ। ଗତ ୧୭ ତାରିଖରେ ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବାଡ଼ାବାଙ୍ଗା ସମିତିସଭ୍ୟା ନମିତା ପ୍ରଧାନ, କଂଗ୍ରେସ ଦଳର ପ୍ରାର୍ଥୀ ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲିକଙ୍କ ମଧ୍ୟରେ ଉପନିର୍ବାଚନ ହୋଇଥିଲା। ଏହି ଉପନିର୍ବାଚନରେ ୨୪ ଜଣ ସମିତିସଭ୍ୟ/ସଭ୍ୟା ଭାଗ ନେଇଥିବା ବେଳେ ଉଭୟ ଦଳର ପ୍ରାର୍ଥୀ ୧୨ ଖଣ୍ଡ ଲେଖାଏଁ ଭୋଟ ପାଇ ଡ୍ର ହୋଇଥିଲା। ଏହାପରେ ଦୁଇ ଦଳ ମଧ୍ୟରେ ଧର୍ମଗୁଳା ପକାଯାଇଥିଲା। ଏହି ଧର୍ମ ଗୁଳାରେ ରୁଦା ମଲ୍ଲିକ ବିଜୟ ହାସଲ କରିଥିବାବେଳେ ନମିତା ପ୍ରଧାନ ହାରିଯାଇଥିଲେ।
ସୂଚନା ଯୋଗ୍ୟ, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ପତ୍ନୀ ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ଦାରିଙ୍ଗବାଡି ବ୍ଲକ୍ରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବାବେଳେ ତାଙ୍କର ୨ ରୁ ଊଦ୍ଧ୍ୱର୍ ସନ୍ତାନ ଥିବା ଘଟଣାରେ ହାଇକୋର୍ଟ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ଏହାପରେ ରାଜ୍ୟ ନିର୍ବାଚନ କମିସନ ଜୁନ୍ ୧୭ ତାରିଖରେ ନୂତନ ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଦାୟିତ୍ୱ ଗ୍ରହଣ କରିବାବେଳେ ଉପାଧ୍ୟକ୍ଷା ରମାକାନ୍ତ ବଳିଆରସିଂ, ଅମିରଚାନ୍ଦ ନାୟକ ସମେତ ସମିତିସଭ୍ୟମାନେ ଉପସ୍ଥିତ ଥିଲେ।