ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଗାଁକୁ ଯାଇ ଶିକ୍ଷାଦାନ 

ଫୁଲବାଣୀ,ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ସହିତ ଶିକ୍ଷାଦାନ କରୁଛନ୍ତି। କନ୍ଧମାଳ ଜିଲ୍ଲାର ପ୍ରାୟ ଶତାଧିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହିଭଳି ଶିକ୍ଷାଦାନ ଆରମ୍ଭ କରିଥିବାବେଳେ ଅନେକ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଶିକ୍ଷାଦାନ କରୁଛନ୍ତି। କନ୍ଧମାଳ ଜିଲ୍ଲାର ପ୍ରାୟ ୧୨ଟି ବ୍ଲକ୍ ରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଆଜି ଦାରିଙ୍ଗବାଡ଼ି ବ୍ଲକ୍ର କେତେକ ଗ୍ରାମରେ ଏହି ଶିକ୍ଷାଦାନ ଦିଆଯାଉିଛି। ଦାରିଙ୍ଗବାଡ଼ି ବ୍ଲକ୍ ମଙ୍ଗଳ ଅଧିକାରୀ ବୁରୁମାଝୀ ପଡ୍ରାଙ୍କ ସୂଚନା ମୁତାବକ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କାର୍ଯ୍ୟରତ ୨୨ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ଗ୍ରାମକୁ ଯାଇ ସପ୍ତାହରେ ୫ଦିନ ୫ଟି ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କୁ କରୋନା ଭୁତାଣୁରୁ ଦୂରେଇ ରହିବା ପାଇଁ ସଚେତନ କରାଯାଉଛି। ବିଦ୍ୟାଳୟର ୧୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗାଁରେ ପହଞ୍ଚି ଶିକ୍ଷାଦାନ କରୁଛନ୍ତି। ବ୍ଲକ୍ର ୭୦ଟି ଗ୍ରାମର ପାଖାପାଖି ୧ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିକ୍ଷା ନେଉଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ସ୍କୁଲଗୁଡ଼ିକ ବନ୍ଦ ରହିଥିବାବେଳେ ଏହିଭଳି ଶିକ୍ଷାଦାନ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାଗ୍ରହଣ କରିବା ପାଇଁ ଆଗ୍ରହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ପାଇଁ ଅଭିଭାବକମାନେ ଖୁସି ପ୍ରକାଶ କରିଥିବାବେଳେ ବର୍ତ୍ତମାନ  ବର୍ଷା ଲାଗି ରହିଥିବାରୁ ଶିକ୍ଷକଶିକ୍ଷୟିତ୍ରୀମାନେ କିଭଳି ଭାବରେ ଗଛମୂଳେ ଶିକ୍ଷାପ୍ରଦାନ କରିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି।