୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ପୁଲିସ୍ ଏକ ମାରୁତି କାର ସହ ୪୨ କେଜି ଗଞ୍ଜେଇ ଜବତ କରିବାସହ ଚାଲାଣରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ଆହ୍ଲାବାଦ ଜିଲ୍ଲା ଧୁମାନଗଞ୍ଜ ଥାନା କାଲିଣ୍ଡିପୁରମର ନନ୍ଦ କୁମାର ଖୁସୱା(୩୮), ପିପ୍ପଲଗାଁର ଆର୍ଯ୍ୟ କାଶ୍ୟପ(୨୫) ଏବଂ କୌଶାମ୍ବି ଜିଲ୍ଲା କୋଖରାଜ ଥାନା ଭାବାନ୍ ଗ୍ରାମର ରାମ୍ ମିଲନ(୨୮)। ବୈପାରିଗୁଡାରୁ ଜୟପୁର ଆଡକୁ ଆସୁଥିବା କାରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଜୟପୁର ସଦର ପୁଲିସକୁ ସୂଚନା ମିଳିବାପରେ ଭାରପ୍ରାପ୍ତ ଅଧିକାରୀ ଏ .ମହାକୁଡ଼, ସବ୍ ଇନ୍ସପେକ୍ଟର୍ ପିକେ ମହାନ୍ତି ଓ ଅନ୍ୟମାନେ ବ୍ରାହ୍ମଣୀଗାଁ ଛକ ନିକଟରେ ଉକ୍ତ ଗାଡିକୁ ଅପେକ୍ଷା କରି ରହିଥିଲେ। କାର ଆସିବା ମାତ୍ରେ ପୁଲିସ ଟିମ୍ ଅଟକାଇ ଯାଞ୍ଚ କରିବା ପରେ କାରରୁ ୪୨ କେଜି ୧୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ପୁଲିସ୍ ଗାଡିରେ ଥିବା ୩ଜଣକୁ ଗିରଫ କରିବା ସହ ଗଞ୍ଜେଇ, ଚାଲାଣରେ ବ୍ୟବହୃତ କାର୍ , ନଗଦ ୨୦୦୦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କରିଛି।